ପଶ୍ଚିମା ଝଡ ପ୍ରଭାବରେ ୧୬ରୁ ରାଜ୍ୟରେ ପୁଣି ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସ୍ଥାନ ମାନଙ୍କରେ ଶୁଖିଲା ପାଗ ରହିବ। ପଶ୍ଚିମାଝଡ଼ ପ୍ରଭାବରେ ୧୬ ତାରିଖରୁ ରାଜ୍ୟରେ ବର୍ଷା ଅନୁଭୁତ ହୋଇପାରେ। ୧୭ ତାରିଖରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ।

ଆସନ୍ତାକାଲି ରାଜ୍ୟର ମାଲାକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ,କଳାହାଣ୍ଡି, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ଘନ କୁହୁଡି ଦେଖା ଦେଇପାରେ। ରାଜ୍ୟରେ ଆଗାମୀ ତିନି ଦିନ ପାଗରେ କୌଣସି ପରିବର୍ତ୍ତ ହେବ ନାହିଁ। ୧୬ ତାରିଖରୁ ରାଜ୍ୟରେ ପୁଣି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ପାଇବ।

ରାଜ୍ୟରେ ବର୍ତ୍ତମାନ ଶୁଖିଲା ପାଗ ଜାରି ରହିଛି। କିଛି କିଛି ଜିଲ୍ଲାରେ ସାମାନ୍ୟରୁ ଘନ କୁହୁଡ଼ି ଅନୁଭୁତ ହୋଇଛି। ରାଜ୍ୟରେ ରାତ୍ରି ସମୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇଛି ଏବଂ ଅଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ୩ରୁ ୫ ଡିଗ୍ରି ହ୍ରାସ ପାଇଛି।