ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଚଟି ବରଘାଟ-ତିଲେଇବଣି ୪୯ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଡ୍ରାଇଭରକୁ ଛୁରା ମାଡ଼ କରି କାର ଲୁଟ ଉଦ୍ୟମ ବିଫଳ ହୋଇଛି । ଜିଲ୍ଲା ପୁଲିସ ସ୍ପେଶାଲ ଟାକ୍ସଫୋର୍ସର ସମୟପୋଯଗୀ ପଦକ୍ଷେପ ଯୋଗୁ ୩ ଲୁଟେରା କାବୁ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଜିଲ୍ଲା ଡ଼ଙ୍ଗା ଘାଟ ଗ୍ରାମର ରିତୁ ପେଂଠେଇ, ଶଙ୍କର ପେଂଠେଇ ଓ ଅଶୋକ ମହାକୁଳ । ଅନ୍ୟପଟେ ଛୁରା ମାଡ଼ରେ ଗୁରୁତର ଡ୍ରାଇଭରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ପ୍ରେମଚାନ୍ଦ ପ୍ରାସାଦଙ୍କ ସ୍ୱିଫ୍ଟ କାରକୁ ଦେବଗଡ଼ ଅଞ୍ଚଳର ୩ଜଣ ଯୁବକ ଭଡ଼ାରେ ସମ୍ବଲପୁରରୁ ଦେବଗଡ଼କୁ ଆଣିଥିଲେ । ତେବେ ବିଳମ୍ବିତ ରାତିରେ ଗାଡ଼ି ଚାଳକ ରାଜୁ ଖାନ୍ ଗଳାରେ ଛୁରା ଓ ପିସ୍ତଲ ଦେଖାଇ ଲୁଟ କରିବା ସହ ଗାଡ଼ି ଚାବି ଛଡ଼ାଇ ନେଇ ଅନ୍ୟତ୍ର ବିକ୍ରି ପାଇଁ ଉଦ୍ୟମ କରିଥିଲେ । ତେବେ କୌଣସି ସୂତ୍ରରୁ ସୂଚନା ପାଇ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ସ୍ପେଶାଲ ଟାକ୍ସଫୋର୍ସ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଚଢ଼ଉ କରି ଘଟଣାସ୍ଥଳରୁ ୩ଜଣ ଲୁଟେରାଙ୍କୁ କାବୁ କରିବା ସହ ଗାଡ଼ିକୁ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି ।