ଟିଉସନ ଯିବା ବେଳେ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ

ଭଦ୍ରକ,ଏନ୍ଏନ୍ଏସ୍: ଟିଉସନ ଯାଉଥିବା ସମୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ। ଆଜି ସକାଳେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତର ତୁଟ ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ଝିଅ ସମ୍ପେଇ ଗ୍ରାମକୁ ଟିଉସନ ହେବାକୁ ଯିବା ସମୟରେ ସେହି ଗ୍ରାମର ରବୀନ୍ଦ୍ର ଦାସଙ୍କ ପୁଅ ପପୁ ଦାସ ରାସ୍ତାରେ ନାବାଳିକାଙ୍କୁ ଅଟକାଇ ଅତର୍କିତଭାବେ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲା। ନାବାଳିକାର ମୁଣ୍ଡ ଏବଂ ବେକରେ ଗଭୀର ଆଘାତ ହୋଇଥିବାରୁ ସେ ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ। ଖବରପାଇ ପରିବାର ଲୋକେ ଗୁରୁତର ନାବାଳିକାଙ୍କୁ ସଙ୍ଗେସଙ୍ଗେ ଖଇରା ମେଡିକାଲକୁ ଆଣିଥିଲେ।

ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ନାବାଳିକାଙ୍କ ବାପା ସେହି ଗ୍ରାମର ପପୁ ଦାସଙ୍କ ଝିଅକୁ ଆକ୍ରମଣ କରିଥିବା ନେଇ ଖଇରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଉକ୍ତ ଯୁବକଙ୍କୁ ପୁଲିସ ଗିରଫ କରି ତଦନ୍ତ ଚଳାଇଛି। ତଦନ୍ତ ପରେ ଆକ୍ରମଣର କାରଣ ସ୍ପଷ୍ଟ ହେବବୋଲି ପୁଲିସ ସୂଚନା ଦେଇଛି।