ନୂଆପଡ଼ା,ଏନ୍ଏନ୍ଏସ୍: ଖଡ଼ିଆଳ ଥାନା ଗେଟ ସମ୍ମୁଖରେ ସାମ୍ବାଦିକଙ୍କୁ ଦୁର୍ବୁର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ହତ୍ୟା ଘଟଣା ସହ ଜଡ଼ିତ ଏକ ଶବ ଥାନାରେ ରଖାଯାଇଥିଲା । ଏହି ସମୟରେ ସାମ୍ବାଦିକ ରବିକାନ୍ତ ଠେଲା ମୃତକଙ୍କ ଫଟୋ ନେଉଥିବାର ଦେଖି କିଛି ଲୋକ ଉତ୍ତ୍ୟକ୍ତ ହୋଇ ତାଙ୍କୁ ତଳେ ପକାଇ ବାଡ଼େଇ ଲହୁଲୁହାଣ କରି ଦେଇଥିଲେ । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ବାଡ଼େଇବା ଘଟଣାକୁ ନେଇ ନୂଆପଡ଼ା ଜିଲ୍ଲା ପ୍ରେସ କ୍ଲବ ସଭାପତି ଅଜିତ ପଣ୍ଡା, ଉପସଭାପତି ଦେନିସ ରାୟ, ସମ୍ପାଦକ ତପନ ରଞ୍ଜନ ଦାଶ, କୋଷାଧ୍ୟକ୍ଷ ପରମେଶ୍ୱର ବାରିକ, ସଦସ୍ୟ ହେମନ୍ତ କୁମାର ବେହେରା ଓ କୁନାଲ ଚରଣ ବେହେରା ତୀବ୍ର ନିନ୍ଦା କରିଛନ୍ତି । ଏହାସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଆଜି ନୂଆପଡ଼ା ଜିଲ୍ଲାର ୧୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟରତ ସାମ୍ବାଦିକମାନେ ଏକତ୍ରିତ ହୋଇ ଖଡ଼ିଆଳ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଧାରଣାରେ ବସିଥିବା ବରିଷ୍ଠ ସମ୍ବାଦିକମାନେ ହେଲେ ବିଜୟ ସହିସ, ଖୁଟୁରାମ ସୁନାନୀ, ମାୟାଧର ସରାଫ, ଘନଶ୍ୟାମ ଭୋଇ, ସୁଶାନ୍ତ କର, ଯୁଧିଷ୍ଠିର ପଟେଲ ଓ ଅଂଶୁମାନ ଅଗସ୍ତିଙ୍କ ସହ ଅନ୍ୟ ସମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ । ଏସଡିପିଓ ସନ୍ତକ ଜେନାଙ୍କୁ ଯୋଗାଯୋଗ କରାଯିବାରୁ ବର୍ତ୍ତମାନ ୭ଜଣଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରିଛନ୍ତି । ଭିଡିଓ କ୍ଲିପ ଦେଖି ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେଭଲି ନୂଆପଡ଼ା ଜିଲ୍ଲାର ବରିଷ୍ଠ ସମାଜସେବୀ ଯଦୁମଣି ପାଣିଗ୍ରାହୀଙ୍କ ସହ ଜିଲ୍ଲାର ଅନ୍ୟତମ ସମାଜସେବୀ ମଧ୍ୟ ଏହି ଧରଣାରେ ସାମିଲ ଥିଲେ ।