ଦୁଇ ଏଟିଏମ୍ ଲୁଟେରା ଗିରଫ : ୨୦ ଏଟିଏମ କାର୍ଡ, ଦେଢଲକ୍ଷ ଟଙ୍କା ଜବତ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଆଦର୍ଶ ଟାଉନ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ୨ ଏଟିଏମ ଲୁଟେରାଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ବିଭିନ୍ନ ବ୍ୟାଙ୍କର ୨୦ଟି ଏଟିଏମ କାର୍ଡ, ଦେଢଲକ୍ଷ ନଗଦ ଟଙ୍କା, ୨ଟି ମୋବାଇଲ୍ ଫୋନ୍ ଏବଂ ସେମାନଙ୍କ ପାନ୍ ଓ ଆଧାର କାର୍ଡ ଜବତ କରିଛି ପୁଲିସ । ଏ ସଂକ୍ରାନ୍ତରେ ବଲାଙ୍ଗିର ଆଦର୍ଶ ଟାଉନ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ସ୍ଥାନୀୟ ଠିକାଦାରପଡ଼ା ନିବାସୀ ନିର୍ମଳ କୁମାର ସାମଲ ଭୁବନେଶ୍ୱରର ଟ୍ରାଞ୍ଜେକସନ ସୋଲୁସନ୍ ଇଣ୍ଟରନ୍ୟାସନାଲ ଇଣ୍ଡିଆ ପ୍ରାଲି. ତରଫରୁ ଟାଉନ ଥାନାରେ କରିଥିବା ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଟାଉନ୍ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ତଦନ୍ତ ପାଇଁ ସ୍ଥାନୀୟ ଠିକାଦାରପଡ଼ା, ଜଗନ୍ନାଥପଡ଼ା, ବରପାଲିପଡ଼ା ଏବଂ ରାଜେନ୍ଦ୍ର କଲେଜ ଅଞ୍ଚଳରେ ଥିବା ଏସବିଆଇ ଏଟିଏମ କାଉଣ୍ଟର ଗୁଡ଼ିକରେ ପୁଲିସ ପକ୍ଷରୁ ତଦାରଖ କରାଯିବା ସମୟରେ ଦୁଇ ଜଣଙ୍କୁ ସନ୍ଦେହଜନକ ଭାବେ ଠିକାଦାରପଡ଼ା ଏସବିଆଇ ଏଟିଏମ କାଉଣ୍ଟରରୁ କାବୁ କରାଯାଇଥିଲା। ସଂପକ୍ତ ଦୁଇଜଣ ଅଭିଯୁକ୍ତ ଏଟିଏମ୍ ମେସିନରୁ ଭ୍ରମାତ୍ମକ ପନ୍ଥା ଅବଲମ୍ବନ କରି ଟଙ୍କା କାଢ଼ୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ । ଏମାନେ ଟଙ୍କା ହଡ଼ପ ଉଦ୍ଦେଶ୍ୟରେ ଏଟିଏମ ମେସିନରେ ଟ୍ରାଞ୍ଜେକ୍ସନ କରୁଥିଲେ। ଏହି ମାଧ୍ୟମରେ ଏହି ଠକମାନେ ଓଡ଼ିଶାର ବିଭିନ୍ନ ବ୍ୟାଙ୍କରୁ ଟଙ୍କା ହଡପ କରିଥିବା ତଦନ୍ତରୁ ଜଣାପଡ଼ିଛି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର କାନପୁର ଜିଲ୍ଲାର ଚକେରୀ ଥାନା ଅନ୍ତର୍ଗତ ଗିରିଜାନଗର ବାସିନ୍ଦା ସତ୍ୟମ ସିଂ ପରିହାର(୨୬) ଏବଂ ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ଚକେରୀ ଥାନା ଅନ୍ତର୍ଗତ କାନପୁରନଗର ବାସିନ୍ଦା ଅଜୟ କୁମାର(୨୬)।