କରୋନା ପ୍ରଭାବରେ ବନ୍ଦ ହେଲା ଦେଶର ବୃହତ ସାଇକେଲ କାରଖାନା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ପ୍ରଭାବରେ ଦେଶର ସାଇକେଲ ଶିଳ୍ପକ୍ଷେତ୍ର ପ୍ରତି ବଡ ସଙ୍କଟ ଦେଖାଯାଇଛି। କରୋନା ପ୍ରଭାବିତ ଅର୍ଥନୀତି ବ୍ୟବସ୍ଥାକୁ ନେଇ ଭାରତର ସବୁଠାରୁ ବଡ ସାଇକେଲ କମ୍ପାନୀ ଆଟଲାସ୍ ତାର ମୁଖ୍ୟ କାରଖାନା ବନ୍ଦ କରି ଦେଇଛି। ଏହି କାରଣରୁ ହଜାରରୁ ଅଧିକ ଶ୍ରମିକଙ୍କର ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ଆର୍ଥିକ କ୍ଷତି କାରଣରୁ କମ୍ପାନୀ କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ବିଶ୍ୱ ସାଇକେଲ ଦିବସ ଅବସରରେ କମ୍ପାନୀର କର୍ମଚାରୀମାନେ କାମ କରିବା ପାଇଁ କାରଖାନା ଯାଇଥିଲା ବେଳେ ବାହାରେ ନୋଟିସ୍ ଲଗାଯାଇଥିବା ଦେଖିଥିଲେ। ଯେଉଁଥିରେ ସ୍ପଷ୍ଟ ଭାବେ ଲେଖା ହୋଇଥିଲା ଯେ ଅର୍ଥାଭାବରୁ ଏବେ କମ୍ପାନୀ କାରଖାନା ଚଳାଇବାକୁ ଅସମର୍ଥ ।

ତେଣୁ ବାଧ୍ୟ ହୋଇ କମ୍ପାନୀକୁ ଅନିଶ୍ଚିତ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ସାହିବାବାଦରେ ଆଟଲାସ କମ୍ପାନୀର କାରଖାନା ୧୯୮୯ରୁ କାର୍ଯ୍ୟକାରୀ ହୋଇଆସୁଛି। ଅର୍ଥାତ୍ ୩୧ ବର୍ଷ ପରେ ଏହି କାରଖାନା ବନ୍ଦ ହେବା ସ୍ଥିତିକୁ ଆସିଛି। ଆଟଲାସ ସାଇକେଲର ଏହି କାରଖାନାରେ ଲକ୍ଡାଉନ୍ ପୂର୍ବରୁ ପ୍ରତି ମାସରେ ପ୍ରାୟ ୨ ଲକ୍ଷ ସାଇକଲ ପ୍ରସ୍ତୁତ ହେଉଥିଲା। ଅର୍ଥାତ୍ ଏହି କାରଖାନାରୁ ପ୍ରତିବର୍ଷ ୫୦ ଲକ୍ଷ ସାଇକଲ ପ୍ରସ୍ତୁତ ହେବା ସହ ବିଭିନ୍ନ ରାଷ୍ଟ୍ରକୁ ମଧ୍ୟ ରପ୍ତାନି ହେଉଥିଲା। କିନ୍ତୁ ଲକ୍ଡାଉନ୍କୁ ନେଇ କମ୍ପାନୀର ଆର୍ଥିକ ବ୍ୟବସ୍ଥା ପ୍ରଭାବିତ ହୋଇଥିବା କୁହାଯାଇଛି। ଏପରିକି କମ୍ପାନୀ ତାର କର୍ମଚାରୀଙ୍କୁ ମେ’ ମାସରେ ବେତନ ମଧ୍ୟ ଦେଇନାହିଁ।ତେବେ ଏଭଳି ସ୍ଥିତିକୁ ନେଇ କାରଖାନାରେ କାମ କରୁଥିବା କର୍ମଚାରୀମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।