କିମ୍ବଦନ୍ତୀ ଆଥଲେଟିକ ପ୍ରଶିକ୍ଷକ ଓମ ନାମ୍ବିଆରଙ୍କ ପରଲୋକ

  • କୋଚି: ଭାରତର କିମ୍ବଦନ୍ତୀ ଆଥଲେଟିକ ପ୍ରଶିକ୍ଷକ ପଦ୍ମଶ୍ରୀ ଓମ୍ ନାମ୍ବିଆରଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଛି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିବା ନାମ୍ବିଆର ଭାରତର କିମ୍ବଦନ୍ତୀ ଆଥଲେଟ୍ ପି.ଟି. ଉଷାଙ୍କ କୋଚଭାବେ ମଧ୍ୟ ଜଣାଶୁଣା। ସେ ମଧ୍ୟ ଭାରତର ଆଉ କେତେକ ଅନ୍ତର୍ଜାତୀୟ ମେଡାଲ ଜିତିଥିବା ଆଥଲେଟଙ୍କୁ ତାଲିମ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ରହିଛନ୍ତି ବନ୍ଦନା ରାଓ ଓ ସାଇନି ୱିଲସନ।
    କେରଳର କୁନୁରରେ ଜନ୍ମିତ ନାମ୍ବିଆର କୋଜିକୋଡ଼ର ଗୁରୁବାୟୁରାପ୍ପନ କଲେଜରେ ପଢିବାବେଳେ ଜଣେ ଆଥଲେଟିକ୍ ଚାମ୍ପିଅନଭାବେ ଲୋକପ୍ରିୟ ହୋଇଥିଲେ। ତାଙ୍କ କଲେଜ ଅଧ୍ୟାପକଙ୍କ ପରାମର୍ଶକ୍ରମେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ବାୟୁସେନାରେ ଥିବାବେଳେ ସେ ପାତିଆଲାସ୍ଥିତ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନରୁ କୋଚିଂରେ ଡିପ୍ଲୋମା ହାସଲ କରିଥିଲେ। ଏହା ପରେ ସେ ସାମରିକ ବାହିନୀର କ୍ରୀଡ଼ାବିତମାନଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ। ତାଙ୍କ ପରଲୋକରେ ଆଥଲେଟ୍ ପି.ଟି.ଉଷା ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ତାଙ୍କ ଗୁରୁ, ପ୍ରଶିକ୍ଷକ, ପଥପ୍ରଦର୍ଶକଙ୍କ ବିୟୋଗ ତାଙ୍କ ଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଏହି ଶୂନ୍ୟସ୍ଥାନ କେବେ ବି ପୂରଣ ହେବ ନାହିଁ।