ସୁଡାନର ଚୀନାମାଟି କାରଖାନାରେ ଗ୍ୟାସ୍ ଟାଙ୍କର ଫାଟି ୨୩ ମୃତ, ୧୩୦ ଗୁରୁତର

ଖାର୍‌ତୌମ୍‌,ଏଜେନ୍ସି: ସୁଡାନର ରାଜଧାନୀ ଖାର୍‌ତୌମ୍‌ ଠାରେ ଥିବା ଗୋଟାଏ ଚୀନାମାଟି କାରଖାନା(ସେରାମିକ୍‌ ଫ୍ୟାକ୍‌ଟ୍ରି) ରେ ଗ୍ୟାସ୍‌ ଟ୍ୟାଙ୍କର ବିସ୍ଫୋରଣ ହୋଇ ନିଆଁ ଲାଗିଯିବାରୁ ୨୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୩୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଉତ୍ତରପଟ ଉପନଗର ଠାରେ ଥିବା ଏହି କାରଖାନାରେ ବିସ୍ଫୋରଣ ମାତ୍ରା ଅତ୍ୟଧିକ ଥିବାରୁ ଟ୍ୟାଙ୍କର୍‌ ଅନ୍ୟ ସ୍ଥାନକୁ ଛଟିକି ପଡ଼ିଥିବା ଜଣେ ବରିଷ୍ଠ ବେସାମରିକ ପ୍ରତିରକ୍ଷା ଅଧିକାରୀ କହିଛନ୍ତି।

ଦୁର୍ଘଟଣାସ୍ଥଳରୁ ଉତ୍ତୋଳନ ହୋଇଥିବା ଭିଡ଼ିଓରେ ଏହା ସ୍ପଷ୍ଟ ବାରି ହୋଇଯାଉଛି। ଉକ୍ତ ଭିଡ଼ିଓଟିରେ ଲୋକେ ସହାୟତା ପାଇଁ ଚିତ୍କାର କରି ଧାଆଁଦୌଡ଼ କରୁଥିବା ଦେଖିବାକୁ ମିଳୁଛି। କାରଖାନାରୁ ଅଗ୍ନିଶିଖା ଓ ଧୂଆଁ ଉଠୁଥିବା ବେଳେ ସ୍ୱେଚ୍ଛାସେବୀ ଏବଂ ନିରାପତ୍ତା ବଳ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ କାରଖାନାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଏକ ସରକାରୀ ବିବୃତିରେ ପ୍ରକାଶ ପାଇଛି।