ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଦିନିକିଆ ଦେବଗଡ଼ ଗସ୍ତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ଦିନିକିଆ ଦେବଗଡ଼ ଗସ୍ତରେ ଆସି ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଅନେକ ପ୍ରକଳ୍ପ ବୁଲି ଦେଖିଛନ୍ତି । ଏହାସହ ନିର୍ବାଚିତ ଜନପ୍ରତିନିଧିଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିବା ଜଣାପଡ଼ିଛି । ଆଜି ପୂର୍ବାହ୍ନରେ ଶ୍ରୀ ତ୍ରିପାଠୀ ରିଆମାଳ ବ୍ଲକ ପରା ପଞ୍ଚାୟତ ଅନ୍ତର୍ଗତ ତାଳବାହାଳୀ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ କରାଯାଇଥିବା ମାଛ ଚାଷ, କୁଣ୍ଢେଇଗୋଳା ପଞ୍ଚାୟତ ଅନ୍ତର୍ଗତ କୁରଡ଼ପଶି ଗ୍ରାମରେ ଲେୟାର ଫାର୍ମିଙ୍ଗ, କୁଣ୍ଢେଇଗୋଳା ଗ୍ରାମର କମଳା ବଗିଚା ଓ ଲୁଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ଶିମିଳିତା ଗ୍ରାମର ମାଛ ଚାଷ ବୁଲି ଦେଖିଥିଲେ । ପରେ ଦେବଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପଞ୍ଚାୟତସ୍ତରର ନିର୍ବାଚିତ ଜନପ୍ରତିନିଧି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ, ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ, ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ଲୁକାଶ ପ୍ରଧାନ ଓ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଉପସ୍ଥିତ ଥିଲେ । ଅପରାହ୍ନରେ ଶ୍ରୀ ତ୍ରିପାଠୀ ଦେବଗଡ଼ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମିତ ଅଡିଟରିୟମ ପରିଦର୍ଶନ କରିଥିଲେ ।

ସେହିପରି ତିଲେଇବଣି ବ୍ଲକ ମୁଖ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜଣେ ଯୁବ ଉଦ୍ୟୋଗୀ କରିଥିବା ଲେୟାର ଫାର୍ମିଙ୍ଗ ପରିଦର୍ଶନ କରିବା ସହ ଦେବଗଡ଼ ନୂଆ ବାଲିରୋଇସ୍ଥିତ ଅଡ଼ିଟୋରିୟମ ଓ ବାରକୋଟ ବ୍ଲକ କାଉଁସିବାହାଳ ପଞ୍ଚାୟତ ଅନ୍ତର୍ଗତ ଭାଟସିଂ ଗ୍ରାମରେ ଫୁଲ ଚାଷ ଦେଖିଥିଲେ । ଶ୍ରୀ ତ୍ରିପାଠୀ ତାଙ୍କ ଦେବଗଡ଼ ଗସ୍ତ ଅବସରରେ ପରିଦର୍ଶନ କରିଥିବା ବିଭିନ୍ନ ଯୋଜନାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହାସହ ଦେବଗଡ଼ ଜିଲ୍ଲାର ଉନ୍ନତି ପାଇଁ ଆବଶ୍ୟକ ଯେକୌଣସି ଯୋଜନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାରେ ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଅଧିକ ସମ୍ଭାବନା ଥିବାରୁ ଏଥିପ୍ରତି ବିଭାଗୀୟ ଅଧିକାରୀ ବିଶେଷ ଯତ୍ନବାନ ହୋଇ ଜିଲ୍ଲାର ଚାଷୀଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନଭିନ୍ନ ଆପତ୍ତି ଅଭିଯୋଗ ସମ୍ବନ୍ଧୀୟ ଦରଖାସ୍ତ ମଧ୍ୟ ଗ୍ରହଣ କରିଥିଲେ ।