ବରଗଡ଼ ଜିଲ୍ଲାରେ କୃଷି ଉଦ୍ୟୋଗ ସୃଷ୍ଟି କରିବା ପାଇଁ ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଗୁରୁତ୍ୱାରୋପ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଳାରେ କୃଷି ଉଦ୍ୟୋଗ ସୃଷ୍ଟି କରିବା ସହ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ତ୍ରିପାଠୀ ବରଗଡ଼ ଜିଲ୍ଲା ଗସ୍ତ କରି ସ୍ଥାନୀୟ ସର୍କିଟ ହାଉସଠାରେ ଉନ୍ନୟନ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିଥିଲେ। ଏ ଅବସରରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଉନ୍ନୟନମୂଳକ କାର୍ଯ୍ୟର ସଦ୍ୟତନ ତଥ୍ୟ ଉପସ୍ଥାପନ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି କେଉଁ କେଉଁ କ୍ଷେତ୍ରରେ କୃଷି ଉତ୍ପାଦ ପ୍ରକ୍ରିୟାକରଣ ଶିଳ୍ପର ସମ୍ଭାବନା ରହିଛି ସେ ନେଇ ଆଲୋଚନା କରିଥିଲେ।

ଜିଲ୍ଲାରେ ମୁଖ୍ୟତଃ ମତ୍ସ୍ୟଚାଷ, ପନିପରିବା, ମିଠା ମକା, ଛତୁ ଚାଷ ଇତ୍ୟାଦିରେ ଯୁବ ଉଦ୍ୟୋଗୀ ସୃଷ୍ଟି ତଥା ନୂତନ କର୍ମ ନିଯୁକ୍ତିର ସମ୍ଭାବନା ରହିଛି ବୋଲି ଆଲୋଚନାରେ କୁହାଯାଇଥିଲା। ରବି ଋତୁରେ ଧାନ ଚାଷ ବଦଳରେ ଅର୍ଥକାରୀ ରବି ଫସଲ ଓ ଅଣ ଧାନ ଚାଷ ଉପରେ ଗୁରୁତ୍ୱ ଦେବା ପାଇଁ ଶ୍ରୀ ତ୍ରିପାଠୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଏଥିସହିତ ଜିଲ୍ଲାରେ ପ୍ରବାହିତ ନାଳ, ଝରଣାର ପୋଲଗୁଡିକରେ ଛୋଟ ଛୋଟ ଚେକ୍ ଡ୍ୟାମ୍ କରାଯାଇ ଜଳର ସୁବିନିଯୋଗ ତଥା ଭୂତଳ ଜଳସ୍ତର ବୃଦ୍ଧି କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରକଳ୍ପ ଗୁଡିକ ଚୟନ ଓ କାର୍ଯ୍ୟକାରୀ କରିବା ଦିଗରେ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବା ପ୍ରକଳ୍ପଗୁଡିକର ପୁନଃ ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆର୍ଥିକ ବିକାଶ ତଥା ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ଶୂନ୍ୟସ୍ଥାନଗୁଡିକ ଚିହ୍ନଟ କରି ଅତି ଆବଶ୍ୟକ ପ୍ରକଳ୍ପଗୁଡିକୁ ସଠିକ ସମୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବନା ରହିଥିବା କୃଷିଭିତ୍ତିକ ଉଦ୍ୟୋଗ କ୍ଷେତ୍ରରେ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରି ସ୍ଥାନୀୟ ଅଞ୍ଚଳବାସୀଙ୍କର ମୁଣ୍ଡପିଛା ଆୟର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ଅଧିକାରୀଙ୍କୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସିଇଓ ସରୋଜ ପଟେଲ, ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।