ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କଲା ଆଫଗାନିସ୍ତାନ

ହାଇଦ୍ରାବାଦ,ଏଜେନ୍ସି: ଏସିଆ କପର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନର ଦମଦାର ବିଜୟ । ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ । ୧୦୬ ରନର ଟାର୍ଗେଟକୁ ପିଛା କରି ଆଫଗାନିସ୍ତାନ ୧୦.୧ ଓଭରରେ ୨ ଟି ୱିକେଟ ହରାଇ ଆଜିର ଲିଗ ମ୍ୟାଚକୁ ସହଜରେ ଜିତି ନେଇଛି ।

ଆଜି ଖେଳାଯାଇଥିବା ପ୍ରଥମ ଲିଗ ମ୍ୟାଚରେ ଆଫଗାନିସ୍ତାନ ବିଜୟ ଅଭିଯାନରୁ ଏସିଆ କପରେ ଯାତ୍ରା ଆରମ୍ଭ କରିଛି । ଆଫଗାନିସ୍ତାନର ଟସ ଜିତି ପ୍ରଥମେ ଅଧିନାୟକ ମହମ୍ମଦ ନବି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବିପକ୍ଷ ଦଳଠାରୁ ବ୍ୟାଟିଂ ଆମନ୍ତ୍ରଣ ପାଇଁ ୫ ଥର ଏସିଆ କପ ଟାଇଟଲ ହାସଲ କରିଥିବା ଶ୍ରୀଲଙ୍କା ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା । ହେଲେ ଆଫଗାନିସ୍ତାନର ବୋଲରଙ୍କ ଆଗରେ ହାର ମାନିଥିଲେ ଶ୍ରୀଲଙ୍କା ବ୍ୟାଟର । ଆଫଗାନିସ୍ତାନର ଆକ୍ରମଣାତ୍ମକ ବୋଲିଂରେ ଶ୍ରୀଲଙ୍କା ପ୍ରଥମ ଓଭରରେ ଦୁଇଟି ୱିକେଟ ହରାଇ ବସିଥିଲା । ଶ୍ରୀଲଙ୍କାର ତିନି ଜଣ ବ୍ୟାଟର ଆଫଗାନିସ୍ତାନର ଘାତକ ବୋଲିଂ ଆଗରେ ଖାତା ଖୋଲି ନପାରି ଜିରୋ ଆଉଟ ହୋଇ ପାଭଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ ।

ଶ୍ରୀଲଙ୍କା ପକ୍ଷରୁ ଓପନିଂ ପାଇଁ ଆସିଥିବା ପଥୁମ ନିଶାଙ୍କା ଓ କୁଶଲ ମେଣ୍ଡିସ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଛନ୍ତି । ପ୍ରଥମ ଓଭରରେ ଫାଜଲହକ ଫରୁକିଙ୍କ ବଲରେ ଏଲ୍‌ବିଡବ୍ଲୁରେ ଆଉଟ ହୋଇଥିଲେ କୁଶଲ ମେଣ୍ଡିସ । ପରେ ତୃତୀୟ ଅର୍ଡର ବ୍ୟାଟିଂରେ ଆସିଥିଲେ ଚାରିଥ ଅସଲଙ୍କା । ସେ ପ୍ରଥମ ବଲରେ ଏଲ୍‌ବିଡବ୍ଲୁର ଶିକାର ହୋଇ ଖାତା ଖୋଲିବାରେ ବିଫଳ ହୋଇ ଜିରୋରେ ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷ ସର୍ବାଧିକ ୩୮ ରନ କରିଥିଲେ । ସେହିପରି ଚମିକା କରୁଣାରତ୍ନେ ୩୧, ଧନୁଷ୍କା ଗୁଣଥିଲାକା ୧୭ ରନକରି ଆଉଟ ହୋଇଛନ୍ତି । ଆଫଗାନିସ୍ତାନର ଘାତକ ବୋଲିଂ ଆଗରେ ଶ୍ରୀଲଙ୍କା ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇ ୧୯.୪ ଓଭରରେ ୧୦୫ ରନ କରି ଅଲଆଉଟ ହୋଇଥିଲେ ।

ସେପଟେ ୧୦୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆଫଗାନିସ୍ତାନ । ହଜ୍ରାତୁଲ୍ଲା ଜଜାଇ, ରାହମୁନାଲହ ଗୁରବାଜ ଆଫଗାନିସ୍ତାନ ପକ୍ଷରୁ ଓପନିଂ ପାଇଁ ଆସିଥିଲେ । ହଜ୍ରାତୁଲ୍ଲା ଜଜାଇ ୩୭ ରନ କରି ଅପରାଜିତ ରହିଥିବା ବେଳେ । ରାହମୁନାଲହ ଗୁରବାଜ ୪୦, ଇବ୍ରାହିମ ଜର୍ଦନ ୧୫ ରନ କରି ଆଉଟ ହୋଇଛନ୍ତି ନାଜିବୁଲା ଜର୍ଦନ ୨ ରନ କରି ଅପରାଜିତ ରହିଛନ୍ତି ।