ଜମ୍ମୁ କାଶ୍ମୀର ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ସମୀକ୍ଷା କଲେ ଶାହ

ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ କାଶ୍ମୀରରେ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଏହି କ୍ରମରେ ନର୍ବାଚନ ନେଇ ଆଜି ଦଳୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଶାହଙ୍କ ବାସଭବନରେ ହୋଇଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଜମ୍ମୁ କାଶ୍ମୀର ବିଜେପିର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଏହି ଆଲୋଚନା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ବୈଠକରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ଆହ୍ବାନ ଦେଇଛନ୍ତି ଶାହ ।

ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ଦେବେନ୍ଦ୍ର ସିଂ ରାଣା, ସାଂସଦ ଜୁଗଳ କିଶୋର, ଜମ୍ମୁ କାଶ୍ମୀରର ବିଜେପି ଅଧ୍ୟକ୍ଷ ରବିନ୍ଦର ରାଇନା ଏବଂ ଦଳର ଅନ୍ୟ କିଛି ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । କାଶ୍ମୀରରେ ଦଳର ବ୍ୟାପାର ଦାୟିତ୍ୱରେ ଥିବା ବିଜେପି ସାଧାରଣ ସମ୍ପାଦକ ତରୁଣ ଚୁଗ ଏବଂ ସହ-ଦାୟିତ୍ୱରେ ଥିବା ଆଶିଷ ସୁଦ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ଉପତ୍ୟକାରେ ଆତଙ୍କୀଙ୍କ ଟାର୍ଗେଟରେ ହତ୍ୟାକାଣ୍ଡ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଶାହ ।

ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଗତାକାଲି (ଶୁକ୍ରବାର) ଶାହାଙ୍କ ସହ ଏକ ବୈଠକ କରିଥିଲେ । ଚାଲିଥିବା ନିର୍ବାଚନ ତାଲିକା ସଂଶୋଧନ ପ୍ରକ୍ରିୟା ସମାପ୍ତ ହେବା ପରେ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଆଗକୁ ଘାଟିରେ ନିର୍ବାଚନ ହେବାକୁ ଥିବା ବେଳେ ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପ୍ରବଳ ବିଷୋଦଗାର ସହ ଦଳ ଛାଡିବାର ମାତ୍ର ଗୋଟିଏ ଦିନ ପରେ ନୂଆ ଦଳ ଗଠନ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜାଦଙ୍କ ନୂତନ ଦଳ ଘୋଷଣା କରିବା ପରେ ମଧ୍ୟ ଘାଟିରେ ନୂଆ ରାଜନୈତିକ ସମୀକରଣ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ବିଜେପିର ନିର୍ବାଚନ ପରିଚାଳାନା ଓ ପ୍ରସ୍ତୁତି ସମୀକ୍ଷା ବୈଠକ ମଧ୍ୟ ବେସ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି ।

କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର ଧାର-୩୭୦ ଓ ଅନୁଚ୍ଛେଦ ୩୫ (କ) ଉଚ୍ଛେଦ ହେବା ପରେ ରାଜ୍ୟ ପାହ୍ୟାରୁ ବାଦ ପଡିଥିବା ଜମ୍ମୁ କାଶ୍ମୀର ଏବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ ହୋଇଛି । ତେବେ ପୁନଃ ରାଜ୍ୟ ପାହ୍ୟା ପ୍ରଦାନ ଉପରେ ମଧ୍ୟ ବିଚାର କରୁଛି କେନ୍ଦ୍ର । ସୀମା ନିର୍ଦ୍ଧାରଣ କମିଟି ମଧ୍ୟ ପ୍ରକ୍ରିୟା ଜାରି ରଖିଛି । ତେଣୁ ନିକଟରେ ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହେବା ସହ ପୁଣି ଥରେ ରାଜ୍ୟ ପାହ୍ୟା ପାଇବାରେ ସଫଳ ହେବ କାଶ୍ମୀର ।