ଲାଞ୍ଚ ମାଗିବା ଭିଡିଓ ଭାଇରାଲ, ଏଏସଆଇ ନିଲମ୍ବିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଏଏସଆଇ ପରୀକ୍ଷିତ ସାହୁ ଲାଞ୍ଚ ମାଗୁଥିବା ଏକ ଭିଡିଓ ଭାଇରାଲ ହେବାପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁସାରେ  ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଶ୍ୱିନୀ କୁମାର ମହାନ୍ତି ଆଜି ଏଏସଆଇ ଗାଡି ରିଲିଜ କରିବା ପାଇଁ ଲାଞ୍ଚ ମାଗୁଥିବାର ଏକ ଭିଡିଓ ପାଇଥିଲେ।

ଭିଡିଓଟିରେ କପିଲ ଚୌଧୁରୀଙ୍କ ଏକ ଟେମ୍ପୁକୁ ପୁଲିସ ଅଟକ ରଖିଥିଲା। ତେବେ ଏ ନେଇ କପିଲ କୋର୍ଟରୁ ଗାଡିର ରିଲିଜ ଅର୍ଡର ଆଣି ଦେଖାଇଥିଲେ ମଧ୍ୟ ସେ ତାଙ୍କୁ କିଛି ଟଙ୍କା ମାଗୁଥିବା ଭିଡିଓଟିରେ ଦେଖାଯାଇଥିଲା। ତେବେ ଏହି ଭିଡିଓକୁ ଭିତ୍ତିକରି ଶ୍ରୀ ମହାନ୍ତି ପରୀକ୍ଷିତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେହିପରି ପୂର୍ବରୁ ମଧ୍ୟ ପରୀକ୍ଷିତଙ୍କ ବିରୋଧରେ ଅନେକବାର ଅଭିଯୋଗ ଆସିଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।