ଖୋଲିଲା ଅଷ୍ଟମୀ ହତ୍ୟାକାଣ୍ଡର ରହସ୍ୟ: ପ୍ରେମ ବ୍ୟାପାରରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ଗତ ୨୫ ତାରିଖ ଦିନ ସହରର ବିଜାଖମନ ଠାରେ ବୁଦା ମୁଳରୁ ଅଷ୍ଟମି ବକୁଲଙ୍କ ରକ୍ତାକ୍ତ ମୃତ ଦେହ ମିଳିଥିଲା। ଆଜି ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ଏକ ଭିଡିଓ ଜରିଆରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହ ଘଟଣାଟି ପ୍ରେମ ବ୍ୟାପାରରୁ ଶତୃତା ଓ ପରେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ଟାଉନ ଥାନା ଅଧିନସ୍ଥ ବେହେରାପାଲିର ବାଲେକ ଓରଫ ଗୁଲଠୁ ତାଣ୍ଡି(୩୭)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ୨୪ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୧୫ ସମସୟରେ ମ୍ୟୁନିସିପାଲିଟି କର୍ମଚାରୀ ଅଷ୍ଟମି ବକୁଲ ବିଜାଖମନ ସ୍ଥିତ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ଠାରେ ମଇଳା ବାହକ ଗଡି ରଖି ନିଜ ସାଇକଲରେ ରାଜିବ ନଗର ପଟକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଛକି ରହିଥିବା ଗୁଲଠୁ ପଛପଟୁ ଏକ ଖଣ୍ଡାରେ ଅଷ୍ଟମୀକୁ ଆକ୍ରମଣ କରିଥିଲେ। ଅଷ୍ଟମୀ ନିଜ ସାଇକେଲରୁ ପଡିଯିବା ପରେ ଗୁଲଠୁ ଅଷ୍ଟମୀର ବେକକୁ ଖଣ୍ଡାରେ ବାରମ୍ବାର ପ୍ରହାର କରିଥିଲେ। ଫଳରେ ଅଷ୍ଟମୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ଗୁଲଠୁ, ଅଷ୍ଟମୀଙ୍କ ମର ଶରୀର ଓ ସାଇକେଲକୁ ରାସ୍ତା କଡ ବୁଦା ଭିତରକୁ ଫିଙ୍ଗିଦେଇ ଚାଲି ଯାଇଥିଲେ। ଦୀର୍ଘ ୧୨ ଘଣ୍ଟା ପରେ ମଧ୍ୟ ଅଷ୍ଟମୀର କୌଣସି ଖୋଜ ଖବର ନମିଳିବାରୁ ତାଙ୍କ ମା ପଙ୍କଜିନି ବକୁଳ ୨୫ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୁଦା ତଳେ ରକ୍ତାକ୍ତ ଅବସ୍ଥାରେ ଏକ ମୃତ ଶରୀର ପଡ଼ିଥିବା ଦେଖି ରାଜିବ ନଗରର ଜଣେ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ। ପୁଲିସ ସେଠାକୁ ଯାଇ ମୃତ ଦେହ ଉଦ୍ଧାର କରିଥିବା ବେଳେ ଏହା ଅଷ୍ଟମିର ମୃତ ଦେହ ବୋଲି ଜଣାପଡ଼ିଥିଲା। ଏନେଇ ପୁଲିସ ଟାଉନ ଥାନାରେ କେସ ନଂ ୪୯୨ରେ ଏକ ମାମାଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ତଦନ୍ତକାରୀ ପୁଲିସ ଅଧିକାରୀ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ଏହି ଘଟଣାରେ ଗୁଲଠୁକୁ ଗିରଫ କରିବା ସହ ତା ନିକଟରୁ ଏକ ଖଣ୍ଡା ଜବତ କରିଥିଲେ। ଗତକାଲି ଟାଉନ ଥାନା ପୁଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ କରାଇଥିଲା। ଆଜି ସକାଳୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅନ୍ୟାନ୍ୟ ଦିଗ ଉପରେ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦିଆଯାଇଛି। ତେବେ ନିଛାଟିଆ ଅଞ୍ଚଳ, ପ୍ରତ୍ୟକ୍ଷଦର୍ଶୀ ଓ ସିସିଟିଭିର ଅଭାବ ସତ୍ତ୍ୱେ ମାତ୍ର କିଛି ଦିନରେ ହତ୍ୟାକରୀକୁ ଖୋଜି ବାହାର କରିବା ଖୁବ୍‌ କଠିନ। ଏଣୁ ତଦନ୍ତକାରୀ ଦଳ ଓ ଟାଉନ ପୋଲିସକୁ ଏହି ସଫଳତା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଧୁବାଦ ଜଣାଇଛନ୍ତି।