ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା, ଏନ୍ଏନ୍ଏସ୍: ୬ ଦଫା ଦାବି ନେଇ ଆଜି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ମୟୂରଭଞ୍ଜ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦାବି ଗୁଡିକ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯିବା, ଆଶାକର୍ମୀମାନଙ୍କୁ ନିୟମିତ ସରକାରୀ କର୍ମଚାରୀରମାନ୍ୟତା ଏବଂ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ମାସିକ ୧୮ ହଜାର ଟଙ୍କା ଦରମା ଦେବା, ସାମାଜିକ ସୁରକ୍ଷା ସହ ଇପିଏଫ ଓ ଇଏସଆଇ ପ୍ରଦାନ କରାଯିବା, କୋଭିଡ଼-୧୯କୁ ନେଇ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଭଳି ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯିବା, ଆଶାକର୍ମୀମାନଙ୍କୁ ପିପିଇ କିଟ, ସାନିଟାଇଜର, ହ୍ୟାଣ୍ଡୱାସ ଆଦି ଯୋଗାଇ ଦେବା ସାଙ୍ଗକୁ ବର୍ଷକୁ ୪ଟି ୟୁନିଫର୍ମ ଯୋଗାଇ ଦେବା ଏବଂ କୋଭିଡ଼-୧୯ରେ ମୃତ୍ୟୁ ହେଉଥିବା ଆଶାକର୍ମୀମାନଙ୍କୁ ୫୦ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରିବା ଇତ୍ୟାଦି ରହିଛି।  ଏହାପରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଭାରତୀୟ ମଜଦୁର ସଙ୍ଘର ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ବୋଧିରଜତ ମହାନ୍ତ, ଜିଲ୍ଲା କୋଷାଧ୍ୟକ୍ଷ ହେମଲତା ମିଶ୍ର, ଆଶା ସଙ୍ଘର ଜିଲ୍ଲା ସଭାନେତ୍ରୀ ଭାରତୀ କବାଟ, ଜିଲ୍ଲା ସମ୍ପାଦିକା ଅନୁପମା ଦାସ, ଗୁରୁଭା ହାଁସଦା, ହିମାଂଶୁ ଗିରି, ଗୀତାଞ୍ଜଳୀ ଧଳ, ଉର୍ବଶୀ ମହାନ୍ତ, ପଦ୍ମାବତୀ ସିଂ, ସ୍ନେହଲତା ମହାନ୍ତ, ଲଳିତା ନାଏକ, ମନ୍ଦୋଦରରୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।