ଜାମିନ ପରେ ପ୍ରଥମ ଥର ଏନସିବି ନିକଟରେ ହାଜର ହେଲେ ଆର୍ଯ୍ୟନ୍ ଖାନ୍

ନୂଆଦିଲ୍ଲୀ,ଏଜେନ୍ସି: ଡ୍ରଗ୍ ମାମଲାରେ ସାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏନସିବି ନିକଟରେ ହାଜିରା ପକାଇଛନ୍ତି। ଆର୍ଥର ରୋଡ ଜେଲରେ ପ୍ରାୟ ୨୬ ଦିନ ରହିବା ପରେ ତାଙ୍କୁ ୨୮ ଅକ୍ଟୋବରରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ଏବଂ ୩୦ ଅକ୍ଟୋବରରେ ତାଙ୍କୁ ମୁକ୍ତ କରାଯାଇଥିଲା। ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ କୋର୍ଟ ୧୪ ଟି ସର୍ତ୍ତ ରଖିଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ଯେ ତାଙ୍କୁ ପ୍ରତି ଶୁକ୍ରବାର ଦିନ ୧୧ ଟାରୁ ୨ଟା ମଧ୍ୟରେ ଏନସିବି କାର୍ଯ୍ୟାଳୟରେ ତାଙ୍କ ଉପସ୍ଥିତି ଜାହିର କରିବାକୁ ପଡିବ।

ଆର୍ଯ୍ୟନ୍ ଖାନ୍ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ରେ ହାଜର ହୋଇଥିଲେ। ଜାମିନ ପାଇବା ପରେ ଏହା ଆର୍ଯ୍ୟନଙ୍କର ପ୍ରଥମ ହାଜିରା। ଅନ୍ୟ ସର୍ତ୍ତ ଗୁଡିକ ମଧ୍ୟରୁ ଏହି ସମୟରେ ଆର୍ଯ୍ୟନ ଦେଶ ବାହାରକୁ ଯାଇପାରିବେ ନାହିଁ। ତାଙ୍କୁ ପାସପୋର୍ଟ ଏନସିବି ନିକଟରେ ଦାଖଲ କରିବାକୁ ପଡିବ। ଯଦି ସେ ଦେଶ ବାହାରକୁ ଯିବାକୁ ଚାହାଁନ୍ତି, ତେବେ ଏଥିପାଇଁ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ। କେବଳ ଏତିକି ନୁହେଁ, ଆର୍ଯ୍ୟନ୍ ଅରବାଜ୍ ମର୍ଚାଣ୍ଟ ଏବଂ ଏହି ମାମଲାରେ ଅଭିଯୁକ୍ତଙ୍କ ସହ ବନ୍ଧୁମାନଙ୍କ ସହ କଥାବାର୍ତ୍ତା କରିବେ ନାହିଁ ଏବଂ ଗଣମାଧ୍ୟମ ସହ ମଧ୍ୟ କଥାବାର୍ତ୍ତା କରିବେ ନାହିଁ। ଆର୍ଯ୍ୟନଙ୍କୁ ଶୁକ୍ରବାର ସକାଳ ୧୧ ଟାରୁ ୨ଟା ମଧ୍ୟରେ ଏନସିବି କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ।