ଦିଲ୍ଲୀରେ ରାଜନାଥ ଓ ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅପରାଜିତା; ଦ୍ୱିତୀୟ ବର୍ଷର ରିପୋର୍ଟ କାର୍ଡ ଦେଲେ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶନିବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଏହି ଅବସରରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ସହ ନିଜର ଦ୍ୱିତୀୟ ବର୍ଷର ରିପୋର୍ଟ କାର୍ଡ ଉଭୟଙ୍କୁ ପ୍ରଦାନ କରିଛନ୍ତି।

ନୟାପଲ୍ଲୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୧୨୦ ବାଟାଲିୟନ ମଧ୍ୟରେ ଡ୍ରେନ୍ ନିର୍ମାଣ ପାଇଁ ଅନୁମତି ଦେଇଥିବାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଧନ୍ୟବାଦ ଦେଇଛନ୍ତି ଅପରାଜିତା। ଏନେଇ ସେ ଗତ ୧୧ ଫେବୃଆରୀ ୨୦୨୦ରେ ପ୍ରଥମେ ରାଜନାଥଙ୍କ ନିକଟକୁ ଚିଠିଲେଖି ଅନୁମତି ପାଇଁ ନିବେଦନ କରିଥିଲେ। ପରେ ସଂସଦ ଅଧିବେଶନ ବେଳେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ମଧ୍ୟ ଏ କଥା ପୁନଶ୍ଚ ମନେପକାଇଥିଲେ। ଶେଷରେ ପରୀକ୍ଷାନିରୀକ୍ଷା ସାରି ମନ୍ତ୍ରଣାଳୟ ଡ୍ରେନ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଏନେଇ ରାଜନାଥ ଚଳିତ ଏପ୍ରିଲ ୮ରେ ଅପରାଜିତାଙ୍କୁ ଚିଠିଲେଖି ଅବଗତ କରାଇଛନ୍ତି। ବାଟାଲିୟନ କ୍ୟାମ୍ପସ୍ ଭିତରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ କରିବା ଲାଗି ମୋଟ ୦.୪୪ ଏକର ବା ୧୭୭୦ ବର୍ଗମିଟର ଜମି ପ୍ରଦାନ କରାଯାଇଛି। ଏହି ଭେଟଘାଟ ଅବସରରେ ଅପରାଜିତା ରାଜନାଥଙ୍କ ଠାରୁ ଆଶୀର୍ବାଦ ଏବଂ ମାର୍ଗଦର୍ଶନ ମଧ୍ୟ ଲୋଡ଼ିଛନ୍ତି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଥିବାରୁ ଅପରାଜିତା ତାଙ୍କର ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନିଜର ଦ୍ୱିତୀୟ ବର୍ଷର ରିପୋର୍ଟ କାର୍ଡ ମଧ୍ୟ ପ୍ରଦାନ କରିଥିଲେ। ଦୁଇଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲମ୍ବା ଆଲୋଚନା ମଧ୍ୟ ହୋଇଥିଲା । ଏନେଇ ସାଂସଦ ଟ୍ୱିଟ୍‌ କରି ଜଣାଇଛନ୍ତି।