ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆଜି ଏଣ୍ଟି ହାଇଜେକିଙ୍ଗ ମକଡ୍ରିଲ ଏକ୍ସସାଇଜ ଅନୁଷ୍ଠିତ ହୋଇଯାଇଛି। କୌଣସି ଆତଙ୍କବାଦୀ କିମ୍ବା ଶତ୍ରୁ ବିମାନବନ୍ଦର ଭିତରକୁ ପଶି ଆସି ବିମାନ ଅପହରଣ କରିବାକୁ ପ୍ରୟାସ କଲେ କିମ୍ବା କୌଣସି ଆତଙ୍କୀ କାର୍ଯ୍ୟକଳାପ କଲେ ତାକୁ କିପରି ରୋକାଯାଇ ପାରିବ ସେନେଇ ଏହି ମକଡ୍ରିଲରେ ଅଭ୍ୟାସ କରାଯାଇଛି। ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ସୁରକ୍ଷାକର୍ମୀ ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ଶତ୍ରୁ ସହ ମୁକାବିଲା କରି ଯାତ୍ରୀଙ୍କୁ କିପରି ସୁରକ୍ଷିତ ରଖିପାରିବେ, ବିମାନ ବନ୍ଦର କର୍ତ୍ତୃପକ୍ଷ କେଉଁ ପଦକ୍ଷେପ ଗ୍ରହଣ କରିବେ ସେନେଇ ତାଲିମ ଦିଆଯାଇଥିଲା। ବେସାମରିକ ବିମାନ ଚଳାଚଳ ନିୟମାବଳୀ ଅନୁସାରେ ପ୍ରତିବର୍ଷ ବିମାନବନ୍ଦର ଗୁଡ଼ିକରେ ଏପରି କର୍ମଶାଳା ଅନୁଷ୍ଠିତ କରାଯାଏ ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ପବନ କୁମାର ପ୍ରକାଶ କରିଛନ୍ତି ।