ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ଶିକ୍ଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ସାଇ କେୟାର ଏଜୁକେସନର ୧୦ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ସ୍ଥାନୀୟ ଗାନ୍ଧୀ ନଗରରେ ଥିବା ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନ ସମ୍ପୂର୍ଣ୍ଣ ନିଜସ୍ୱ ଉଦ୍ୟମରେ ୨୦୧୩ରୁ ଆଜିପର୍ଯ୍ୟନ୍ତ ଜିଲ୍ଲା ତଥା ଅନ୍ୟ ଜିଲ୍ଲାର ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଅନୁଶିକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥା ସହ ଖାଇବା ରହିବା ସେବା ଯୋଗାଇ ଦେଇ ଆସୁଛିି । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ “ଅଇଲି ବୋଲା’ ନାମକ ଏକ ପୁସ୍ତକ ଉନ୍ମୋଚନ, ୱେବ ପ୍ରତିଭା ସମ୍ମାନ ପତ୍ର ପ୍ରଦାନ ସହ କବି, କବିତା, ଶିକ୍ଷାର ପ୍ରଗତି କିପରି ହେବ ସେନେଇ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ମହାପାତ୍ର, ସମାଜସେବୀ ଡା. ସୁରେନ୍ଦ୍ର ନାଥ ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡା. ଚନ୍ଦ୍ରଶେଖର ହୋତା, ମନୋରଞ୍ଜନ ତ୍ରିପାଠୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜି. ଭି. ରେଡି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।
ସେହିପରି ଦ୍ୱିତୀୟ ଅଧିବେଶନରେ ‘ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ସୁନିଶ୍ଚିତ ଭବିଷ୍ୟତ’ ଶୀର୍ଷକ ବିଷୟବସ୍ତୁରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କବି ଅଶୋକ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଲୋଚକ ଭାବେ ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ, ନବରଙ୍ଗପୁର ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡା. ବିଜୟ କୁମାର ମିଶ୍ର, ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ, ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡା. ସଂଯୁକ୍ତା ପଣ୍ଡା, ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ନାୟକ ଓ କବି ଜଗଦୀଶ ଚନ୍ଦ୍ର ତ୍ରିପାଠୀ ଯୋଗଦେଇଥିଲେ । ତୃତୀୟ ଅଧିବେଶନରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଜିଲ୍ଲାର କବି ଓ କବୟିତ୍ରୀଙ୍କ ଦ୍ୱାରା କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ଉତ୍କଳ ସାହିତ୍ୟ ପରିଷଦର ସମ୍ପାଦକ କବି ସହଦେବ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ କବି ବିଜୟ କୁମାର ଚୌଧୁରୀ, ଆକାଶବାଣୀ କଣ୍ଠଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ର, କବି କପିଳ ଚନ୍ଦ୍ର ମହାନ୍ତି, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର ଓ କବି ପ୍ରଭଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ । କବି ରତିକାନ୍ତ ଦୁବେ ଓ ସ୍ୱର୍ଣ୍ଣଲତା ପଟ୍ଟନାୟକ କବିତା ପାଠୋତ୍ସବର ସଂଯୋଜନା କରିଥିଲେ । ଏହାସହ ଛାତ୍ରଛାତ୍ରୀଙ୍କ ଅଭିନୟରେ ଏକ ମଞ୍ଚ ନାଟକ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ସମ୍ମାନିତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ସମାଜସେବୀ କାଦମ୍ବିନୀ ତ୍ରିପାଠୀ, ବିଶିଷ୍ଟ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ସୁରେଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚ ନାଟକର ସଂଗୀତ ନିର୍ଦ୍ଦେଶନା ଯୁବ କଳାକାର ଆନନ୍ଦ କୁମାର ଦାଶ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପାଢ଼ୀଙ୍କ ରଚନା ଓ ନିର୍ଦ୍ଦେଶନା ରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା । ଚତୁର୍ଥ ଅଧିବେଶନରେ ନୃତ୍ୟ ଓ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।