କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ୨୬ଟି ଗ୍ରାମପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ୮ଦଫା ଦାବି ନେଇ କେସିଙ୍ଗା ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାପାଇଁ କେସିଙ୍ଗା ଅଙ୍ଗନବାଡି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଉକ୍ତ ଦାବୀପତ୍ରରେ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟତାଙ୍କୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ଦେବା, ମାସିକ ୨୧ ହଜାର ଟଙ୍କା ଦରମା ପ୍ରଦାନ, ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀ ଘୋଷଣା, ରନ୍ଧା ଖାଦ୍ୟ ଓ ଅଣ୍ଡାର ମୂଲ୍ୟ ବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହାସହ ଯଥାଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସଭାନେତ୍ରୀ ବସନ୍ତ ପାଢ଼ୀ ପ୍ରକାଶ କରିଛନ୍ତି । ଏହି ସମୟରେ ବ୍ଲକର ୧୯୫ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ସାମିଲ ହୋଇଛନ୍ତି ।