ଯୋଗାଯୋଗ ସମସ୍ୟା ଯୋଗୁ ଆନ୍ଧ୍ରରେ ପ୍ରସବ କଲେ ଓଡ଼ିଶା ମହିଳା

କୋରାପୁଟ,ଏନ୍ଏନ୍ଏସ୍: ମୋବାଇଲ୍ ନେଟୱାର୍କ ଯୋଗୁ ଯୋଗାଯୋଗ ସମସ୍ୟା ହେବାରୁ ଓଡ଼ିଶାର ଜଣେ ମହିଳା ଆନ୍ଧ୍ରରେ ପ୍ରସବ କରାଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଲଙ୍ଗଳବେଡ଼ା ପଞ୍ଚାୟତସ୍ଥିତ ଦଳେଇପେଟା ଗ୍ରାମର ଜଣେ ଗର୍ଭବତୀଙ୍କଠାରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ପରେ ୨ ଯୁବ ସମାଜସେବୀଙ୍କ ଉଦ୍ୟମରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍ ହସ୍ପିଟାଲରୁ ୧୦୮ ଆମ୍ବୁଲାନସ୍ ଆସିବା ପରେ ସେ ସେଠାରେ ପ୍ରସବ କରାଇବାକୁ ବାଧ୍ୟ ହୋଇଥିଲେ।

ସୂଚନାଯୋଗ୍ୟ, ଦଳେଇପେଟା ଗ୍ରାମର ସିଦାରୋପୁ ସୋମୁଲୁଙ୍କ ସ୍ତ୍ରୀ ସିଦାରୁପୁ ବୋଡିଆମ୍ମାକୁ ଶନିବାର ଅପରାହ୍ନ୍ନରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ନାରାୟଣପାଟଣା ୧୦୮କୁ ଫୋନ୍ କରିଥିଲେ ହେଁ ମୋବାଇଲ୍ ନେଟୱର୍କରେ ସମସ୍ୟା ଥିବାରୁ ଯୋଗାଯୋଗ ହୋଇ ପାରିନଥିଲା। ଶେଷରେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମକୃଷ୍ଣ ପଣ୍ଡାଙ୍କୁ ଜଣାଇବା ପରେ ସେ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍ ସହରରେ ଥିବା ନାରାୟଣପାଟଣାର ଯୁବ ସମାଜସେବୀ ଅନୀଲ ସୁବୁଦ୍ଧି ଓ ଦିଲ୍ଲୀପ ଦାସଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଉଭୟ ଯୁବ ସମାଜସେବୀ ପାର୍ବତୀପୁରମ୍ ସରକାରୀ ହସ୍ପିଟାଲ୍ ଅଧିକାରୀଙ୍କ ସହ ଆଲୋଚନା କରି ଅନୁରୋଧ କରିବା ପରେ ୧୦୮ ଆମ୍ବୁଲାନ୍ସ ଆସି ବୋଡିଆମ୍ମାକୁ ଡୋକସିଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ବୋଡିଆମ୍ମାକୁ ପାର୍ବତୀପୁରମକୁ ସ୍ଥାନାନ୍ତର କରାଯାଇଥିଲା।