ଅମିତାଭ-ଅକ୍ଷୟ କାଗଜ ସିଂହ: କଂଗ୍ରେସ୍

ମୁମ୍ବାଇ,ଏଜେନ୍ସି: ଗତ କିଛିଦିନ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ସାଧାରଣ ଜନତାଙ୍କ ପକେଟ ଖାଲି ହେଉଛି। ତୈଳ ଦର ବୃଦ୍ଧିକୁ ନେଇ କେବଳ କେନ୍ଦ୍ର ସରକାର ନୁହେଁ ବଲିଉଡ ଷ୍ଟାରମାନେ ମଧ୍ୟ ବିରୋଧୀ ଦଳର ଟାର୍ଗେଟ ହୋଇଛନ୍ତି। ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦର ବିରୋଧରେ ବଲିଉଡ କଳାକାର ଅମିତାଭ ବଚନ ଓ ଅକ୍ଷୟ କୁମାର ଚୁପ୍ ରହିଥିବାରୁ ସେମାନଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏପରିକି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟେଲ ଅମିତାଭ ବଚନ ଓ ଅକ୍ଷୟ କୁମାରଙ୍କୁ ଫିଲ୍ମର ସୁଟିଂ ବନ୍ଦ କରିବାକୁ ଧମକ ମଧ୍ୟ ଦେଇଛନ୍ତି। ଏଥିସହିତ ତାଙ୍କୁ କାଗଜ ସିଂହ ବୋଲି ମଧ୍ୟ କୁହାଯାଇଛି।

ଗୋଟେ ପଟେ କଂଗ୍ରେସ ଅମିତାଭ ବଚନ ଓ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେପି ବଲିଉଡ ଷ୍ଟାରଙ୍କୁ ବିରୋଧୀ ଦଳ ଧମକ ଦେବା ଘଟଣାର ନିନ୍ଦା କରିଛି। ନାନା ପଟେଲଙ୍କ ଚେତାବନୀ ପରେ ମହାରାଷ୍ଟ୍ର ସରକାର ଅମିତାଭ ବଚନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଏହି ମଧ୍ୟରେ ପୁଣି ଆଜି କଂଗ୍ରେସ ନେତା ନାନା ପଟେଲ ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି କି, ଆମେ ପଛକୁ ହଟିବୁ ନାହିଁ। ଯେବେ ତାଙ୍କ ଫିଲ୍ମ ରିଲିଜ ହେବ ଆମେ କଳା ପତାକା ଦେଖାଇବୁ।