ଜମ୍ମୁର ୩ ପ୍ରମୁଖ ସମୁଦାୟକୁ ମିଳିବ ସଂରକ୍ଷଣ, ଘୋଷଣା କଲେ ଶାହ

ଶ୍ରୀନଗର,ଏଜେନ୍ସି: ଜମ୍ମୁ ଓ କାଶ୍ମୀର ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ବାରାମୁଲାରେ ଆୟୋଜିତ ବିଜେପିର ଏକ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ । ନିଜ ଭାଷଣରେ ନ୍ୟାସନାଲ୍‌ କନ୍‌ଫରେନ୍ସ ମୁଖ୍ୟ ଫାରୁକ ଅବ୍‌ଦୁଲ୍ଲା ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହବୁବା ମୁଫତିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଏହି ଦୁଇ ରାଜନୈତିକ ଦଳ କେନ୍ଦ୍ର ସରକାର ପାକିସ୍ତାନ ସହ ଆଲୋଚନା କରନ୍ତୁ ବୋଲି ଚାହୁଁଛନ୍ତି । କିନ୍ତୁ ତାହା ସମ୍ଭବ ନୁହେଁ ବୋଲି କହିଛନ୍ତି ଅମିତ ଶାହ । ପାକିସ୍ତାନ ବଦଳରେ ସେ ଜମ୍ମୁ ଓ କାଶ୍ମୀରର ଯୁବଗୋଷ୍ଠୀଙ୍କ ସହ ଆଲୋଚନା କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି । ତା ସହିତ ଜମ୍ମୁ ଓ କାଶ୍ମୀରରେ ଥିବା ୩ଟି ପ୍ରମୁଖ ସମୁଦାୟ ପାଇଁ ସଂରକ୍ଷଣ ଘୋଷଣା କରିଛନ୍ତି ।

୩ ଦିନିଆ ଜମ୍ମୁ ଓ କାଶ୍ମୀର ଗସ୍ତର ଶେଷ ଦିନରେ ବିଜେପିର ଏକ ସଭାରେ ଯୋଗ ଦେଇଥିଲେ ଅମିତ ଶାହ । ବାରାମୁଲାରେ ଆୟୋଜିତ ଏହି ସଭାରେ ହଜାର ହଜାର ସମର୍ଥକ ପହଞ୍ଚିଥିଲେ । ଫାରୁକ ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତି ଉଭୟ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ ରେଡ୍‌ କାର୍‌ପେଟ୍‌ ବିଛାଉଥିବା କଟାକ୍ଷ କରିଛନ୍ତି ଅମିତ ଶାହ ।

ଅମିତ ଶାହ କହିଛନ୍ତି, “ଏଠାରେ କିଛି ବ୍ୟକ୍ତି ପାକିସ୍ତାନର କଥା କୁହନ୍ତି । ଆଜି ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ, ପାକ୍‌ ଅଧିକୃତ କାଶ୍ମୀରରେ କେତେ ଜଣଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି ତାହାର ହିସାବ ଦିଅନ୍ତୁ । କାଶ୍ମୀରର ପ୍ରତ୍ୟେକ ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ଅଛି । ମୁଫ୍‌ତି ଓ ଅବଦୁଲ୍ଲା ୭୦ ବର୍ଷ ହେଲା କାଶ୍ମୀରରେ ଶାସନ କରି ଆସୁଥିଲେ । କିନ୍ତୁ ୧ ଲକ୍ଷ ଲୋକଙ୍କୁ ଘର ଯୋଗାଇ ପାରିନଥିଲେ । ୨୦୧୪ରେ ନରେନ୍ଦ୍ର ମୋଦୀ ସରକାରକୁ ଆସିବା ପରେ ଏକ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦିଆଯାଇଛି ।”

କାଶ୍ମୀରରେ ଯେଉଁମାନେ ୭୦ ବର୍ଷ ଧରି ଶାସନ କଲେ ସେମାନେ ଆଜି ପାକିସ୍ତାନ ସହ କଥା ହେବେକୁ ପରାମର୍ଶ ଦେଉଛନ୍ତି । ଅମିତ ଶାହ କହିଛନ୍ତି, “ମୁଁ ଏହାକୁ ନେଇ ସ୍ପଷ୍ଟ ଅଛି, ଆମେ ପାକିସ୍ତାନ ସହ କୌଣସି ପ୍ରକାର ଆଲୋଚନା କରିବାକୁ ଚାହୁଁନାହୁଁ । ମୁଁ ଏଠାରେ ରହୁଥିବା ଗୁଜ୍ଜରମାନଙ୍କ ସହ କଥା ହେବାକୁ ଚାହୁଁଛି । ମୁଁ ଏଠାରେ ଥିବା ଯୁବଗୋଷ୍ଠୀଙ୍କ ସହ କଥା ହେବାକୁ ଚାହୁଁଛି । ଥରେ ଭଲ କରି ଚିନ୍ତା କରି ଦେଖନ୍ତୁ କେଉଁମାନେ ଏଠାରେ ଆତଙ୍କ ସୃଷ୍ଟି କରିଛନ୍ତି । ସେମାନେ କାଶ୍ମୀରର ଭଲ ପାଇଁ କଣ କରିଛନ୍ତି ।”

ଆତଙ୍କବାଦ ରାସ୍ତା ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ଅମିତ ଶାହ । ଏଥିପାଇଁ ଜମ୍ମୁ ଓ କାଶ୍ମୀରବାସୀଙ୍କ ସମର୍ଥନ ଲୋଡ଼ିଛନ୍ତି । ପୂର୍ବରୁ ଜମ୍ମୁ ଓ କାଶ୍ମୀର ଆତଙ୍କବାଦୀର ହଟ୍‌ସ୍ପଟ୍‌ ହୋଇ ରହିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟଟନର ହଟ୍‌ସ୍ପଟ୍‌ ହୋଇଛି ବୋଲି କହିଛନ୍ତି ଅମିତ ଶାହ । ଏହି କ୍ରମରେ ଗୁଜ୍ଜର, ପାହାଡ଼ି ଓ ବକରୱାଲ ସମୁଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି ଅମିତ ଶାହ ।