ଚକ୍ଷୁରୋଗୀଙ୍କ ପାଇଁ ଖୁସି ଖବର, କ୍ୟାପିଟାଲ ହସ୍ପିଟାଲକୁ ଆସିଲା ରାନିବିଜୁମାବ ଇଞ୍ଜେକ୍ସନ

ଭୁବନେଶ୍ବର,ଏନ୍ଏନ୍ଏସ୍: କ୍ୟାପିଟାଲ ହସ୍ପିଟାଲକୁ ଆସିଲା ‘ରାନିବିଜୁମାବ ଇଞ୍ଜେକ୍ସନ’ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗକୁ ଏହି ‘ରାନିବିଜୁମାବ ଇଞ୍ଜେକ୍ସନ’ ଆସିବା ଫଳରେ ସାଧାରଣ ଓ ଗରିବ ରୋଗୀମାନେ ମାଗଣାରେ ଗୁରୁତ୍ବପୂର୍ଣ୍ଣ ଚକ୍ଷୁ ଚିକିତ୍ସା କରିପାରିବେ । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗରେ ଏହି ଗୁରୁତ୍ବପୂର୍ଣ୍ଣ ଇଞ୍ଜେକ୍ସନ ଯାହା ମାଗଣାରେ ଦେବା ଲାଗି ନିଷ୍ପତ୍ତି ହୋଇଥିଲା । ତେବେ କୋଭିଡ ମହାମାରୀ ସମୟରୁ ଗତ ପ୍ରାୟ ଦୁଇବର୍ଷ ଧରି ଏହି ‘ରାନିବିଜୁମାବ ଇଞ୍ଜେକ୍ସନ’ ମିଳୁନଥିଲା । ଫଳରେ ବହୁ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଓ ଗରିବ ଶ୍ରେଣୀର ରୋଗୀମାନେ ଚିକିତ୍ସା ନପାଇପାରି ନିରାଶ ହୋଇ ଫେରୁଥିଲେ । ଏହି ଇଞ୍ଜେକ୍ସନ ଗୋଟିଏ କିଣିବା ପାଇଁ ପ୍ରାୟ ୩୦ରୁ ୪୦ ହଜାର ପଡ଼ିଥାଏ । ସେଥିପାଇଁ ଗରିବ ଲୋକଙ୍କ ପାଇଁ ଏହାକୁ ବାହାର ବଜାର ମାର୍କେଟରୁ କିଣିବା ସମ୍ଭବପର ନୁହେଁ ।

ସାଧାରଣ ଭାବରେ କୌଣସି ରୋଗୀର ଚକ୍ଷୁପଟଳରେ ପାଣି ଓ ରକ୍ତ ଜମାଟ ବାନ୍ଧିଲେ, ଏହି ରୋଗୀଙ୍କୁ ବିଶେଷ ଭାବରେ ‘ରାନିବିଜୁମାବ ଇଞ୍ଜେକ୍ସନ’ ଦେବାକୁ ପଡିଥାଏ । ଫଳରେ ରୋଗୀକୁ ଅନ୍ଧତ୍ଵରୁ ମୁକ୍ତି ମିଳିଥାଏ । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଗତ ୨ ବର୍ଷ ହେଲା ଏହି ଇଞ୍ଜେକ୍ସନ ଦିଆଯାଉନାହିଁ । ଯାହା ଫଳରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା ।