ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ, ଉପମୁଖ୍ୟମନ୍ତ୍ରୀଙ୍କ ବୟାନ ଲୋକଙ୍କୁ ଭୟଭୀତ କରିଥିଲା: ଶାହ

ନୂଆଦିଲ୍ଲୀ: ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରକାରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହା ସ୍ପଷ୍ଟ କରିଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଜୁନ୍ ଦ୍ୱିତୀୟ ସପ୍ତାହରେ ବୟାନ ଦେଇଥିଲେ କି, ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ କରୋନା ମାମଲା ୫.୫ ଲକ୍ଷରେ ପହଂଚିବ ଯାହାକି ଦିଲ୍ଲିବାସୀଙ୍କୁ ଭୟଭୀତ କରିଥିଲା ବୋଲି ଶାହ କହିଛନ୍ତି।

ଶାହ ଆହୁରି କହିଛନ୍ତି କି, ସିସୋଦିୟାଙ୍କ ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ମୋ ସହ କଥା ହୋଇଥିଲେ। ଦିଲ୍ଲୀ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରଣାଳୟକୁ କହିଥିଲେ। ଏହାପରେ କୋର୍ଡିନାନ୍ସ ଟିମର ବୈଠକ ହୋଇଥିଲା ଯେଉଁଥିରେ ଦିଲ୍ଲୀକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା। ଏଥିରେ କଣ୍ଟେନମେଣ୍ଟ ଜୋନର ପ୍ରତ୍ୟେକ ବ୍ୟକ୍ତିର କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା ଯାହାକି ଫଳପ୍ରଦ ସାବ୍ୟସ୍ତ ହୋଇଛି।

ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣର ସ୍ଥିତି ଉପୁଜି ନାହିଁ ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି। ଏତଦବ୍ୟତୀତ ଦିଲ୍ଲୀରେ ଜୁନ୍ ୩୦ ସୁଦ୍ଧା କଣ୍ଟେନମେଣ୍ଟ ଜୋନରେ ଥିବା ପ୍ରତ୍ୟେକ ଘରେ ସର୍ବେକ୍ଷଣ କରାଯିବ। ଦିଲ୍ଲୀ ସରକାରଙ୍କୁ ତତ୍କାଳରେ ୫୦୦ ଅକ୍ସିଜେନ ସିଲିଣ୍ଡର ଓ ୪୦୦ ଭେଣ୍ଟିଲେଟର ଦିଆଯାଇଛି। ଦିଲ୍ଲୀରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା କରିବାର ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ କେନ୍ଦ୍ର ସରକାର ବଦଳାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଯେଉଁ ୫.୫ ଲକ୍ଷ କରୋନା ମାମଲା ନେଇ ବୟାନ ଦେଇଥିଲେ, ଆଗାମୀ ଦିନରେ ସେଭଳି ସ୍ଥିତି ଦିଲ୍ଲୀରେ ଉପଜିବ ନାହିଁ ବୋଲି ମୁଁ ଦୃଢ଼ୋକ୍ତି ପ୍ରକାଶ କରୁଛି।