ହିମାଚଳପ୍ରଦେଶ ବିଧାନସଭା ଗେଟରେ ଉଡିଲା ଖଲିସ୍ତାନୀ ପତାକା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସିମଲା,ଏଜେନ୍ସି: ଧର୍ମଶାଳାରେ ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଫାଟକ ଓ ପାଚେରୀରେ ଦେଖିବାକୁ ମିଳିଛି ଖଲିସ୍ତାନୀ ପତାକା। ଆଜି ସକାଳେ ଏହି ପତାକା ଲାଗିଥିବା ଦେଖିବାକୁ ମିଳିବା ପରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ ଘଟଣାର ଅନୁସନ୍ଧାନ ଆରମ୍ଭ କରିସାରିଛି। ଏପରି କାର୍ଯ୍ୟକଳାପରେ ଯେଉଁମାନେ ସମ୍ପୃକ୍ତ ଥିବେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିସାରିଛନ୍ତି।

ଧର୍ମଶାଳାରେ ଥିବା ଏହି ବିଧାନସଭା ଅଟ୍ଟାଳିକାରେ କେବଳ ଶୀତ ଅଧିବେଶନ ଅନୁଷ୍ଠିତ ହେଉଥିବାରୁ ସେଠାରେ ସବୁ ସମୟରେ ପ୍ରାୟ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳେନାହିଁ। ତେଣୁ ସୁରକ୍ଷା ବ୍ୟବସ୍ଥାର ଅଭାବର ସୁଯୋଗ ନେଇ କେହି ଦୁର୍ବୃତ୍ତ କିମ୍ବା ଏକାଧିକ ଖଲିସ୍ତାନୀ ସମର୍ଥକ ଏଥିରେ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେଣୁ ବର୍ତ୍ତମାନ ସେଠାରେ ସୁରକ୍ଷା ବ୍ୟବସ୍ଥା ବଢାଇବକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଠାକୁର କହିଛନ୍ତି।

ଯିଏ ବି ଏପରି କରୁ ନା କାହିଁକି, ଏହାକୁ କୌଣସି ପରସ୍ଥିତିରେ ବରଦାସ୍ଥ କରାଯିବ ନାହିଁ। ତୁରନ୍ତ ତଦନ୍ତ ମଧ୍ୟ ଆରମ୍ଭ ହୋଇସାରିଛି। କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ନେଇ ସେ ଘୋଷଣା କରିଛନ୍ତି। ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଉକ୍ତ ପତାକାକୁ ଗେଟ ଓ ପାଚେରୀରୁ ହଟାଇଛି। ସ୍ଥାନୀୟ ଏସପି କୁଶାଲ ଶର୍ମା କହିଛନ୍ତି ଏହା ଖଲିସ୍ଥାନୀ ସମର୍ଥକଙ୍କ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି।