ଆମେରିକା ରଚିଲା ଇତିହାସ : ମାନବ ମିଶନକୁ ସଫଳତାନୂର୍ବକ ଲଂଚ କଲା ନାସା

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଆକେରିକାକୁ ଏକ ବଡ଼ ସଫଳତା ମିଳିଛି। ଆମେରିକାର ଅନ୍ତରୀକ୍ଷ ଏଜେନ୍ସୀ ନାସା ପ୍ରଥମଥର ପାଇଁ ଘରୋଇ କମ୍ପାନୀ ସ୍ପେସଏକ୍ସ ଯାନ ଦ୍ୱାରା ଦୁଇ ଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇ ଇତିହାସ ରଚିଛି। ଭାରତୀୟ ସମୟାନୁସାରେ ଶନିବାର ରାତି ପ୍ରାୟ ୧ଟା ବେଳେ ଫ୍ଲୋରିଡ଼ାର କେନେଡୀ ସ୍ପେସ ସେଣ୍ଟରରୁ ଏହାକୁ ଲଂଚ କରାଯାଇଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଝିଅ ଇଭାଙ୍କା ସହ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ ଫ୍ଲୋରିଡ଼ାର କେନେଡୀ ସ୍ପେସ ସେଣ୍ଟରରେ ଉପସ୍ଥିତ ରହିଥିଲେ।

‘ଦି କ୍ରୁ ଡ୍ରେଗନ’ ନାମକ ଅନ୍ତରୀକ୍ଷ ଯାନରେ ସ୍ପେସଏକ୍ସ ନାସାର ଦୁଇ ମହାକାଶଚାରୀଙ୍କୁ ମହାକାଶ ପଠାଇଥିଲା। ଏଥିରେ ଯାତ୍ରା କରିଥିବା ଦୁଇ ମହାକାଶଚାରୀ ବୋବ ବେନକେନ ଓ ଡବ ହର୍ଲି ୧୯ ଘଣ୍ଟାର ଯାତ୍ରା ପରେ ମହାକାଶରେ ପହଂଚିଥିଲେ। ଏହି ମିଶନ ପାଇଁ ମହାକାଶଚାରୀ ବୋବ ଓ ଡବଙ୍କୁ ୨୦୦୦ ମସିହାରୁ ଚୟନ କରାଯାଇଥିଲା। ସ୍ପେସ ସଟଲ ଜରିଆରେ ଦୁହେଁ ଦୁଇଥର ଲେଖାଏଁ ଅନ୍ତରୀକ୍ଷକୁ ଯାଇଛନ୍ତି। ୨୦୧୧ ପରେ ଆମେରିକା ଏଭଳି ଏକ ମିଶନକୁ ବାସ୍ତବ ରୂପ ଦେବାରେ ସଫଳ ହୋଇଛି।

ରାଷ୍ଟ୍ରପତି ଟ୍ରମ୍ପ ମାନବ ଅନ୍ତରୀକ୍ଷ ଯାନ ଲଞ୍ଚ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି। ସ୍ପେସଏକ୍ସ ଡ୍ରେଗନ କ୍ୟାପ୍ସୁଲ ସଫଳତାପୂର୍ବକ ପୃଥିବୀର ଅନ୍ତରୀକ୍ଷ କକ୍ଷରେ ପହଂଚିବା ଓ ଆମ ମହାକାଶଚାରୀ ସୁସ୍ଥ ଥିବା ନେଇ ଘୋଷଣା କରି ମୁଁ ଖୁବ୍ ଆନନ୍ଦ ଅନୁଭବ କରୁଛି ବୋଲି ଟ୍ରମ୍ପ କହିଛନ୍ତି। ଏହି ଦଶକରେ ଯେଉଁ ସମୟ ବ୍ୟର୍ଥ ହେଲା ତାହା ଏବେ ପୂରଣ ହୋଇଛି। ଏଥି ସହିତ ଆମେରିକାରେ ଏବେ ସଫଳତାର ଏକ ନୂଆ ଯୁଗ ଆରମ୍ଭ ହୋଇଯାଇଛି।