ମିଆଁମାରକୁ ୧୦୦କୋଟି ଡଲାର ସହାୟତା ବନ୍ଦ କଲା ଆମେରିକା

ୱାଶିଂଟନ,ଏଜେନ୍ସି: ଆମେରିକା ମିଆଁମାର ସରକାରଙ୍କୁ ପ୍ରଦାନ କରିବାକୁ ଥିବା ୧୦୦ କୋଟି ଡଲାରର ସହାୟତା ବନ୍ଦ କରିବାକୁ ଘୋଷଣା କରିଛି। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେରିକା ମିଆଁମାରର ସାମରିକ ଶାସନକୁ ବିରୋଧ କରି ଏଭଳି ପଦକ୍ଷେପ ନେଉଛି। ସେ କହିଛନ୍ତି, ମିଆଁମାରରେ କ୍ଷମତା ଦଖଲ ପାଇଁ ନିର୍ଦ୍ଦେଶ ଦେଇଥିବା ସାମରିକ ଅଧିକାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ବିରୋଧରେ କଟକଣା ଲାଗୁ କରିବା ପାଇଁ ସେ ଏକ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି।
ରାଷ୍ଟ୍ରପତି ବାଇଡେନ କହିଛନ୍ତି, ମିଆଁମାରକୁ ସମସ୍ତ ପ୍ରକାର ରପ୍ତାନି ଉପରେ ପ୍ରତିବନ୍ଧକ ଲାଗୁ କରାଯିବ। କିନ୍ତୁ ସ୍ୱାସ୍ଥ୍ୟରକ୍ଷା, ନାଗରିକ ସଂଗଠନ ଏବଂ ଜନସାଧାରଣ ବିଶେଷଭାବେ ଉପକୃତ ହେଉଥିବା ସହାୟତା ଜାରି ରହିବ।

ମିଆଁମାରରେ ଅଟକ ଥିବା ରାଜନୈତିକ ନେତା ଓ ସକ୍ରିୟ କର୍ମୀମାନଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ବାଇଡେନ ଆହ୍ୱାନ ଦେଇଛନ୍ତି। ଇତିମଧ୍ୟରେ ମିଆଁମାରରେ ସାମରିକ ଶାସକ ଅଙ୍ଗ୍ ସାନ ସୁକିଙ୍କ ନେତୃତ୍ୱାଧୀନ ନ୍ୟାସନାଲ ଲିଗ ଫର ଡେମୋକ୍ରାସି(ଏନଏଲଡି)ର ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ସୁକିଙ୍କ ଘନିଷ୍ଠ ସହଯୋଗୀ କ୍ୟ ଟିଣ୍ଟ ସ୍ୱେଙ୍କୁ ଗତ ବୁଧବାର ସେନା ଗିରଫ କରିଛି। ସେ ଜଣେ ମନ୍ତ୍ରୀ ଭାବେ ମିଆଁମାରର ରାଷ୍ଟ୍ରୀୟ ପରାମର୍ଶଦାତା ସୁକିଙ୍କ କାର୍ଯ୍ୟାଳୟ ଦାୟିତ୍ୱରେ ଥିଲେ। ଏନଏଲଡିର ଜଣେ କର୍ମକର୍ତ୍ତା କହିଛନ୍ତି ପୂର୍ବ ସରକାର ସହ ସମ୍ପୃକ୍ତ ଥିବା ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ବୁଧବାର ରାତିରେ ନିଜ ଘରୁ ସେନା ଉଠାଇ ନେଇଛି।