ଚୀନ୍ କୋଭିଡର ଉତ୍ପତ୍ତିସ୍ଥଳ ନୁହେଁ : ‘ହୁ’ ରିପୋର୍ଟକୁ ଆମେରିକାର ପ୍ରତ୍ୟାଖ୍ୟାନ

ୱାଶିଂଟନ,ଏଜେନ୍ସି: ୨୦୧୯-୨୦ରେ ବିଶ୍ୱବ୍ୟାପୀ ଦେଖାଦେଇଥିବା କୋଭିଡ୍ ମହାମାରୀର ଉତ୍ପତ୍ତିସ୍ଥଳଭାବେ ଚୀନର ଉହାନ୍ ସହର କୁଖ୍ୟାତିଲାଭ କରିଛି। ବିଶ୍ୱ ସମୁଦାୟ ଏହାକୁ ବିଶ୍ୱାସ କରୁଥିବାବେଳେ ଚୀନ୍ ବାରମ୍ବାର ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଛି। ଏପରିକି ଏହାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଚୀନର ଉହାନ୍ ସହର ପରିଦର୍ଶନ କରି ଚୀନ୍ କୋଭିଡର ଉତ୍ପତ୍ତିସ୍ଥଳ ନୁହେଁ ବୋଲି ରିପୋର୍ଟ ଦେଇଛନ୍ତି। ତେବେ ଆମେରିକା ଏହି ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଥିବା ଜଣାପଡିଛି। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ହୁ ସ୍ୱଚ୍ଛତା ଅବଲମ୍ବନ କରୁ ବୋଲି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି।

ଏହାବ୍ୟତୀତ ଯାଞ୍ଚ ସମୟରେ ହୁ ପ୍ରତିନିଧିମଣ୍ଡଳ ଯେଉଁ ଦସ୍ତାବିଜ୍ ବ୍ୟବହାର କରିଛନ୍ତି, ତାହାକୁ ସାର୍ବଜନୀନ କରିବାକୁ ବାଇଡେନ ପ୍ରଶାସନ ଦାବି କରିଛି। ଉକ୍ତ କାଗଜପତ୍ରକୁ ଯାଞ୍ଚ କରିବାକୁ ଆମେରିକା ଆଗ୍ରହ ପ୍ରକାଶ କରିଛି। ହୁ ପ୍ରତିନିଧିଦଳ ଚୀନରେ ପ୍ରାୟ ଚାରି ସପ୍ତାହ ରହି ଯାଞ୍ଚ ପ୍ରକ୍ରିୟା ଚଳାଇଥିଲେ। ଚୀନରେ ପହଞ୍ଚିବାପରେ ପ୍ରଥମେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିଥିଲା। ଉହାନର ଏକ ଲାବରୁ କୋଭିଡ୍ ଭୂତାଣୁ ଉତ୍ପତ୍ତି ହୋଇନାହିଁ, ବରଂ ଚୀନ୍ ବିଦେଶରୁ ଆମଦାନି କରିଥିବା ଫ୍ରୋଜେନ ଖାଦ୍ୟ ପ୍ୟାକେଟରୁ ଏହା ଆସିଥାଇପାରେ ବୋଲି ହୁ ରିପୋର୍ଟ ଦେଇଛି।