ଆଇପିଏଲ୍‌ରେ ଅମ୍ବାତି ରାୟଡୁ ନିଜ ନାଁରେ କଲେ ବଡ଼ ରେକର୍ଡ, ଧୋନୀ-ରାଇନାଙ୍କ ତାଲିକାରେ ସାମିଲ

ନୂଆଦିଲ୍ଲୀ,ଏଜେନ୍ସି: ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ଅଭିଜ୍ଞ ଖେଳାଳି ଅମ୍ବାତି ରାୟଡୁ ଏପ୍ରିଲ ୧୭ ତାରିଖରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବଡ଼ ରେକର୍ଡ କରିଛନ୍ତି । ପୁନେରେ ଖେଳାଯାଇଥିବା ଏହି ମ୍ୟାଚରେ ରାୟଡୁ ଆଇପିଏଲ୍‌ରେ ନିଜର ୪ ହଜାର ରନ୍ ପୂରା କରିଛନ୍ତି । ଏଭଳି କାମ କରିବାରେ ସେ ହେଉଛନ୍ତି ତ୍ରୟୋଦଶ ଖେଳାଳି ।

ଅମ୍ବାତି ରାୟଡୁ ଗୁଜରାଟ ବିପକ୍ଷରେ ୩୧ଟି ବଲ୍ ଖେଳି ୪୬ ରନ୍ କରିଥିଲେ । ଏଥିରେ ସେ ୪ଟି ଚୌକା ଓ ୨ଟି ଛକା ମାରିଥିଲେ । ରାୟଡୁ ରବିବାର ଋତୁରାଜ ଗାଏକ୍ୱାର୍ଡଙ୍କ ସହିତ ଭଲ ଭାଗିଦାରୀ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ଆଇପିଏଲ୍‌ରେ ୪ ହଜାର ରନ୍ ଅତିକ୍ରମ କରିଥିଲେ । ସେ ଏପର୍ଯ୍ୟନ୍ତ ୧୮୧ଟି ମ୍ୟାଚରେ ୧୬୯ଟି ପାଳି ଖେଳିଛନ୍ତି । ମୋଟ୍ ୪୦୪୪ ରନ୍ କରିଛନ୍ତି । ଏଥିରେ ଗୋଟିଏ ଶତକ, ୨୧ଟି ଅର୍ଦ୍ଧଶତକ ସାମିଲ ରହିଛି । ୧୫୪ ଛକା ଓ ୩୩୭ଟି ଚୌକା ମାରିଛନ୍ତି ।

ସୂଚନାଯୋଗ୍ୟ, ଆଇପିଏଲ୍‌ରେ ସର୍ବାଧିକ ରନ୍ କରିଛନ୍ତି ବିରାଟ କୋହଲି । କୋହଲି ୬୪୦୨, ଶିଖର ଧାୱନ ୫୯୮୯, ରୋହିତ ଶର୍ମା ୫୭୨୫, ଡେଭିଡ ୱାର୍ଣ୍ଣର ୫୫୮୦, ସୁରେଶ ରାଇନା ୫୫୨୮, ଏବି ଡିଭିଲିୟର୍ସ ୫୧୬୨, କ୍ରିସ ଗେଲ ୪୯୬୫, ରବିନ ଉତ୍‌ଥପା ୪୯୧୯, ମହେନ୍ଦ୍ର ସିଂହ ଧୋନୀ ୪୮୩୮, ଦିନେଶ କାର୍ତ୍ତିକ ୪୨୩୮, ଗୌତମ ଗମ୍ଭୀର ୪୨୧୭, ଅମ୍ବାତି ରାୟଡୁ ୪୦୪୪ ଓ ଆଜିଙ୍କ୍ୟ ରାହାଣେ ୪୦୨୧ ରନ୍ କରିଛନ୍ତି ।