ଆଉ ନାହାନ୍ତି ‘କମଳଦେଶର ରାଜକୁମାର’ ପ୍ରଫୁଲ୍ଲ କର, ବିଭିନ୍ନ ମହଲରେ ଶୋକ ପ୍ରକାଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ସଂଗୀତ ଜଗତରେ ‘କମଳଦେଶର ରାଜକୁମାର’ ଭାବେ ବେଶ୍ ପରିଚିତ ପ୍ରଫୁଲ୍ଲ କରଙ୍କ ପରଲୋକ ହୋଇଯାଇଛି । ସ୍ଥାନୀୟ ସତ୍ୟନଗରସ୍ଥିତ ବାସଭବନରେ ପ୍ରଫୁଲ୍ଲ କରଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏବାବଦରେ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି । ଓଡ଼ିଶୀ ଓ ଶାସ୍ତ୍ରୀୟ ସଂଗୀତରେ ବିଚକ୍ଷଣ ଜ୍ଞାନ ଥିବା ପ୍ରଫୁଲ୍ଲ କର ଅନେକଗୁଡ଼ିଏ ଓଡ଼ିଆ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ପ୍ରଫୁଲ୍ଲ କରଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଟୁଇଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ସ୍ୱର୍ଗତ କରଙ୍କ ପ୍ରତିଟି କାଳଜୟୀ ଗୀତ ତାଙ୍କୁ ସବୁଦିନ ପାଇଁ ଅମର ରଖିବ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । ସେହିପରି ଓଡ଼ିଆ ସଂଗୀତ ଜଗତରେ ଏକ ଯୁଗର ଅବସାନ ହୋଇଛି! ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ବିଶିଷ୍ଟ ସଂଗୀତକାର, ଗାଳ୍ପିକ ତଥା ସ୍ତମ୍ଭକାର, ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ।

ସୂଚନାଯୋଗ୍ୟ, ‘କମଳଦେଶର ରାଜକୁମାର’ ଗୀତଟି ପ୍ରଫୁଲ୍ଲ କରଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ସେହିଭଳି ପୁରୀରେ ଶ୍ରୀକ୍ଷେତ୍ର କଳା ପ୍ରକାଶିକା ସଂଗୀତ କାର୍ଯ୍ୟକ୍ରମ କରି ଅନେକ ଗାୟକ ଓ ସଂଗୀତଜ୍ଞ ସୃଷ୍ଟି କରିବାରେ ତାଙ୍କର ଅବଦାନକୁ ଭୁଲି ହେବନାହିଁ । ଗାୟକ ଓ ସଂଗୀତ ବ୍ୟତୀତ ସେ ଥିଲେ ଜଣେ ସ୍ତମ୍ଭକାର । ଏଥି ସହିତ ସେ ସଂଗୀତ ଉପରେ ଗବେଷଣା କରୁଥିଲେ । ସ୍ୱର୍ଗତ ପ୍ରଫୁଲ୍ଲ କର ୨୦୦୪ରେ ଜୟଦେବ ପୁରସ୍କାର, ୨୦୦୮ରେ ସ୍ୱର୍ଣ୍ଣ ସଂଜୀବନୀ, ୨୦୦୯ରେ କବି ସମ୍ରାଟ ଉପନ୍ଦ୍ରେ ଭଂଜ ସମ୍ମାନ ଓ ୨୦୧୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ତାଙ୍କର ପରଲୋକରେ ଓଡ଼ିଆ ସଂଗୀତ ଜଗତ ପାଇଁ ବଡ଼ କ୍ଷତି ହୋଇଛି ।