ନୂଆଦିଲ୍ଲୀ,ଏଜେନ୍ସି: ଏକଦା ଭାରତୀୟ ବଜାରରେ ରାଜ୍ କରୁଥିବା ଆମ୍ବାସାଡର କାର୍ ପୁଣି ଥରେ ଫେରିବାକୁ ଯାଉଛି। ୨୦୧୪ରୁ ଏହି କାର୍ର ଉତ୍ପାଦନ ବନ୍ଦ ହୋଇ ଯାଇଥିବା ବେଳେ ପୁଣି ଥରେ ଏହାର ଉତ୍ପାଦନ ଆରମ୍ଭ ହେବ। ହିନ୍ଦୁସ୍ତାନ ମୋଟର୍ସ ପକ୍ଷରୁ ୧୯୫୮ରେ ଏହି କାର ନିର୍ମାଣ କରାଯାଇଥିଲା। କିଙ୍ଗ ଅଫ୍ ଇଣ୍ଡିଆନ ରୋଡ୍ କୁହାଯାଉଥିବା ଆମ୍ବାସାଡର ଏବେ ଭାରତ-ବିଦେଶୀ କମ୍ପାନୀର ବୈଷୟିକ କୌଶଳରେ ଏକ ନୂଆ ରୂପରେ ବଜାରକୁ ଆସିବାକୁ ଯାଉଛି। ଏନେଇ କାର ନିର୍ମାତା କମ୍ପାନୀ ‘ହିନ୍ଦୁସ୍ତାନ ମୋଟର୍ସ’ ୟୁରୋପର ଏକ କମ୍ପାନୀ ସହ ଚୁକ୍ତି କରିଛି।
କେଉଁ କମ୍ପାନୀ ସହ ଚୁକ୍ତି ହୋଇଛି ସେ ନେଇ ଯଦି କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ତେବେ କୁହାଯାଉଛି ଯେ ପ୍ୟୁଜୋ କମ୍ପାନୀ ସହ ଚୁକ୍ତି ହୋଇଛି। ଏହି ଦୁଈ କମ୍ପାନୀ ମିଶି ପୁଣିଥରେ ପଶ୍ଚିମବଙ୍ଗର ଉତ୍ତରପଡ଼ା ପ୍ଲାଣ୍ଟରେ କାର ନିର୍ମାଣ ଆରମ୍ଭ କରିବେ ।ନୂଆ ରୂପରେ ଆସିବାକୁ ଥିବା ଆମ୍ବାସାଡରର ନା ଆମ୍ବି ରହିବ ଓ ଏହା ପୂରା ଇଲେକ୍ଟ୍ରିକ କାର୍ ହେବ ବୋଲି କୁହାଯାଉଛି। ତେବେ କାର ପୂର୍ବରୁ ହିନ୍ଦୁସ୍ତାନ ମୋଟର୍ସ ପ୍ରଥମେ ଇ-ବାଇକ୍ ତିଆରି କରିବ ବୋଲି ଜଣାପଡ଼ିଛି। କମ୍ପାନୀ ନିର୍ଦ୍ଦେଶକ ଉତ୍ତମ ବୋସ୍ କହିଛନ୍ତି ବର୍ତ୍ତମାନ କାମ ଚାଲୁ ରହିଛି। ୧୯୭୦ ପର୍ଯ୍ୟନ୍ତ ଏହାର ବିକ୍ରି ସବୁଠୁ ଆଗୁଆ ରହିଥିଲା। ତେବେ ମାରୁତି ସୁଜୁକିର ବଜାର ପ୍ରବେଶ ପରେ ଧୀରେ ଧୀରେ ଏହାର ବିକ୍ରି ହ୍ରାସ ପାଇଥିଲା।