ଜୁଲାଇ ୨୧ରୁ ଅମରନାଥ ଯାତ୍ରା, ଯାତ୍ରୀଙ୍କୁ ଦେବାକୁ ପଡ଼ିବ କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ୨୦୨୦କୁ ନେଇ ଏକ ସୂଚନା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଆସନ୍ତା ଜୁଲାଇ ୨୧ରୁ ଅଗଷ୍ଟ ୩ ମଧ୍ୟରେ ଅମରନାଥ ଯାତ୍ରା ଆୟୋଜିତ ହେବ। ଏଥିସହିତ ଯେଉଁମାନେ କୋଭିଡ ଟେଷ୍ଟ କରାଇବେ କେବଳ ସେମାନେ ହିଁ ଏହି ଏହି ଯାତ୍ରାରେ ସାମିଲ ହୋଇପାରିବେ। ଏଥର ଅମରନାଥ ଯାତ୍ରା କେବଳ ଉତ୍ତର କଶ୍ମୀର ବାଲଟାଲ ମାର୍ଗ ଦେଇ ହିଁ ବାହାରିବ। ଆଉ ଯେଉଁମାନେ ଯାତ୍ରା କରିପାରିବେନି ସେମାନଙ୍କ ପାଇଁ ସିଧାପ୍ରସାରଣର ବନ୍ଦୋବସ୍ତ କରାଯିବ।

ଅମରନାଥ ସାଇନବୋର୍ଡର ଅଧିକାରୀଙ୍କ କହିବା ମୁତାବକ, ଚଳିତ ବର୍ଷ ଅମରନାଥ ଯାତ୍ରା ମାତ୍ର ୧୫ ଦିନ ହେବ। କରୋନା ସଙ୍କଟ ଯୋଗୁ ହିଁ ଏହି ଯାତ୍ରାରେ କାଟଛାଟ କରାଯାଇଛି। ଏହି ଯାତ୍ରା ପାଇଁ ପ୍ରଥମ ପୂଜା ଜୁନ୍ ୫ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ଯାତ୍ରା ଅଗଷ୍ଟ ୩ ଶ୍ରାବଣ ପୂର୍ଣ୍ଣିମା ଦିନ ସମାପ୍ତ ହେବ। କିନ୍ତୁ ଯାତ୍ରା ସମୟରେ ଭକ୍ତଙ୍କୁ କିଛି ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ। ସେଗୁଡ଼ିକ ହେଲା-

* ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଖରେ କୋଭିଡ ନେଗେଟିଭର ପ୍ରମାଣପତ୍ର ଥିବ।
* ସାଧୁଙ୍କ ବ୍ୟତୀତ ଅନ୍ୟ ତୀର୍ଥ ଯାତ୍ରୀଙ୍କ ବୟସ ୫୫ ବର୍ଷରୁ କମ୍ ହୋଇଥିବା ଦରକାର।
* ସାଧୁଙ୍କୁ ଛାଡ଼ି ଆଉ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଅନଲାଇନ ପଞ୍ଜିକରଣ କରିବାକୁ ପଡ଼ିବ।
* ଗାନ୍ଦରବଲ ଜିଲ୍ଲାର ବାଲଟାଲ ବେସ କ୍ୟାମ୍ପରୁ ଗୁମ୍ଫା ପର୍ଯ୍ୟନ୍ତ ପହଂଚିବା ପାଇଁ ହେଲିକେପଟର ବ୍ୟବହାର କରାଯିବ।
* ଚଳିତ ବର୍ଷ କୌଣସି ଯାତ୍ରୀଙ୍କୁ ପହଲଗାମ ମାର୍ଗରୁ ଯାତ୍ରା କରିବାର ଅନୁମତି ଦିଆଯିବ ନାହିଁ।