ମନରେଗା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କୋରାପୁଟ,ଏନ୍ଏନ୍ଏସ୍ : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟରେ ଅନିୟମିତତା ହୋଇଥିବା କୁନ୍ଦୁରା ବ୍ଲକ ବାଗଦେରୀ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟରେ ବାଗଦେରୀରେ ଏକ ଖେଳପଡିଆ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ହେଲେ ଉକ୍ତ କାର୍ଯ୍ୟ ମେସିନରେ କରି ୫୪ଜଣ ଶ୍ରମିକଙ୍କ ଟିପଚିହ୍ମ ନେଇ ଗ୍ରାମ ରୋଜଗାର ସେବକ ୩ ଲକ୍ଷ ୨୫ ହଜାର ୪୦୪ ଟଙ୍କା ଚଳୁ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶ୍ରମିକମାନଙ୍କୁ ଗ୍ରାମ ରୋଜଗାର ସେବକ କେବଳ ୨୦୦ ଟଙ୍କା ଲେଖାଏଁ ଦେଇ ଟିପଚିହ୍ନ ନେଇଥିବା ଅଭିଯୋଗ ହୋଇଛି।

ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବରୁ ହୋଇଥିବା ଅଭିଯୋଗର ତଦନ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ତଦନ୍ତ କରି ସାରିଥିବାବେଳେ ଆସନ୍ତା ୧୯ ତାରିଖ ଦିନ ଜିଲ୍ଲାପାଳ ଶୁଣାଣୀ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏପିଡି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଭିଜିଲାନ୍ସ ବିଭାଗ ମଧ୍ୟ ଉକ୍ତ ଅଭିଯୋଗର ତଦନ୍ତ କରୁଥିବା ଏପିଡି ପ୍ରକାଶ କରିଛନ୍ତି।