ମନ୍ତ୍ରୀଙ୍କ ନାମରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ଦାରିଙ୍ଗବାଡି ମହିଳା ମହାସଂଘ ବିଡ଼ିଓଙ୍କୁ ଦେଲେ ଦାବିପତ୍ର

ବ୍ରାହ୍ମଣୀ ଗାଁ,ଏନ୍ଏନ୍ଏସ୍: ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଥିବା ନେଇ କନ୍ଧମାଳ ଜିଲ୍ଲାପାଳ, ପିଡ଼ି ଡ଼ିଆରଡ଼ିଏ ଓ ଦାରିଙ୍ଗବାଡ଼ି ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ପ୍ଲିହେରୀ ମହିଳା ମହାସଂଘ। ଗତ ୨୯ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟ ପରିସରରେ ହୋଇଥିବା ମିଶନଶକ୍ତି ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରତାପ ଜେନା ବ୍ଲକ ଅଞ୍ଚଳର ମହିଳା ମହାସଂଘ ମାନଙ୍କୁ ୧ କୋଟି ୧୯ ଲକ୍ଷ ୭୦ ହଜାର ଟଙ୍କା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ମିଳିଥିବା ବେଳେ, ପ୍ଲିହେରୀ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘକୁ ୧୯ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ହେଲେ ଉକ୍ତ ଘଟଣାକୁ ନେଇ ପଞ୍ଚାୟତ ବାହାରର କିଛି ବିରୋଧୀ ଗୋଷ୍ଠୀର ମହିଳା ନେତ୍ରୀ ପ୍ଲିହେରୀ ଗ୍ରାମପଞ୍ଚାୟତର କିଛି ମହିଳାଙ୍କୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କହି ସେମାନଙ୍କୁ ମଧ୍ୟରେ ବିଷ ମଞ୍ଜି ବୁଣିଥିଲେ। ଏହାରି ଫଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ଥାନୀୟ କିଛି ମହିଳା ଘଟଣା ନଜାଣି ବିରୋଧୀ ଗୋଷ୍ଠୀଙ୍କ ଚକ୍ରାନ୍ତରେ ଫସି ମନ୍ତ୍ରୀଙ୍କୁ ବିରୋଧ କରିଥିଲେ।

ମିଶନଶକ୍ତିର ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରଦାନ କରିଥିବା ୧୯ ଲକ୍ଷ ଟଙ୍କା ପ୍ଲିହେରୀ ପଞ୍ଚାୟତ ସ୍ତରୀୟ ମହାସଂଘରେ ଜମା ହୋଇଥିବା ବେଳେ, ୧୦ ଲକ୍ଷ ଟଙ୍କା ସ୍ୱୟଂ ସହାୟକ ସଂଘକୁ ଋଣ ଆକାରରେ ଦିଆଯାଇଥିବା ବେଳେ ୧ ଲକ୍ଷ ୫୦ ହଜାର ଟଙ୍କା କୋଭିଡ଼ ସମୟରେ ଋଣ ପାଣ୍ଠିକୁ ବୃଦ୍ଧି କରିବା, କୁକୁଡ଼ା ଚାଷ ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା, ବୁନ୍ଦା ଜଳସେଚନ ପାଇଁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମହାସଂଘର ସଭାପତି ସାବିତ୍ରୀ ପ୍ରଧାନ ଓ ସମ୍ପାଦିକା ମମିତା ପ୍ରଧାନ ମତପ୍ରକାଶ କରିଛନ୍ତି। ଉକ୍ତ ଟଙ୍କା ପାଇନଥିବା ନେଇ ପଞ୍ଚାୟତ ବାହାରର କିଛି ବିରୋଧୀ ଗୋଷ୍ଠୀର ମହିଳା ଟଙ୍କା ପାଇନଥିବା ନେଇ ମିଛ କହି ମହିଳାଙ୍କୁ ବିଭ୍ରାନ୍ତ କରି ମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନ କରାଇଥିଲେ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ମନ୍ତ୍ରୀଙ୍କ ବିରୋଧରେ ବିରୋଧୀ ଗୋଷ୍ଠୀ ଏଭଳି ଚକ୍ରାନ୍ତ କରୁଥିବା ଅଂଚଳରେ ଚର୍ଚ୍ଚା ହେଉଛି। ଦାବିପତ୍ର ଦେବା ସମୟରେ ମହିଳା ସଂଘର ସଦସ୍ୟ ନିରନ୍ତି ପ୍ରଧାନ, ଏଲସେବା ପ୍ରଧାନ, ଉଷାରାଣୀ ନାୟକ, କିସ୍ତିନା ମଳିକ, ସୁକେସିନୀ କହଁର, ହେଲେନା ନାୟକ, ନିବାଜିନି ଦିଗାଲ, ନିରନ୍ତିନି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।