ପୌର ନିର୍ବାହୀ ଅଧିକାରୀଙ୍କୁ ଉପନଗରପାଳଙ୍କ ମାଡ଼ ଅଭିଯୋଗ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ଜଣେ ବିଜେପି ସମର୍ôଥତ ସ୍ୱାଧୀନ, ୬ ବିଜେପି କାଉନସିଲର ଓ ୪ ବିଜେଡି କାଉନସିଲର ରହିଥିଲେ ମଧ୍ୟ ପୌରାଧ୍ୟକ୍ଷା ଆସନ ବିଜେଡି ହାତରେ ରହିଛି । ପୌର ନିର୍ବାଚନ ପରେ ନୂତନ କାଉନସିଲ ଗଠନ ପରଠାରୁ ବିଭିନ୍ନ ସମୟରେ ପୌର ପରିଷଦରେ ବିଜେପି ପାରିଷଦଙ୍କ ପକ୍ଷରୁ ଧାରଣା ଓ ବିକ୍ଷୋଭ ଲାଗି ରହିଥିବାବେଳେ ଏହାର ପ୍ରଭାବ ଉନ୍ନୟନ କାର୍ଯ୍ୟରେ ସିଧାସଳଖ ପଡୁଥିବା ଦେଖିବାକୁ ମିଳିଛି । ବିଜେଡି ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ନିୟମିତ ବୈଠକ ଡାକୁ ନଥିବା ଅଭିଯୋଗ କରି ଅଧ୍ୟକ୍ଷାଙ୍କ ଅନୁପସ୍ଥିତିରେ ଗତ ୨୬ ତାରିଖରେ ବିଜେପି ପୌର ଉପନଗରପାଳ ପ୍ରଜିତ କୁମାର ଭୋଜଙ୍କ ଆବାହକତ୍ୱରେ ବିଜେପି କାଉନସିଲରଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କିତ ଫାଇଲ ନେବାକୁ ଉପନଗରପାଳ ଶ୍ରୀ ଭୋଜ ଆଜି ପୌର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ଯାଇଥିବାବେଳେ ସେଠାରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ସମୟରେ ଶ୍ରୀ ଭୋଜ ନିର୍ବାହୀ ଅଧିକାରୀ ତପନ ମହାପାତ୍ରଙ୍କୁ ମାଡ଼ ମାରିଥିବା ନେଇ ପୌର ଅଧିକାରୀ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଶ୍ରୀ ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି । ଅନ୍ୟପଟେ ନିର୍ବାହୀ ଅଧିକାରୀ ଜାତିଆଣ ଆକ୍ଷେପ କରିବା ସହ ତାଙ୍କ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ନେଇ ମଧ୍ୟ ଉପନଗରପାଳ ଶ୍ରୀ ଭୋଜ ଥାନାରେ ପାଲଟା ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଥାନା ସମ୍ମୁଖରେ ଉଭୟ ବିଜେପି ଓ ବିଜେଡି କର୍ମୀ ରୁଣ୍ଡ ହୋଇଥବା ଦେଖିବାକୁ ମିଳିଛି ।