ପ୍ରୟାଗରାଜ,ଏଜେନ୍ସି: କରୋନା ଭାଇରସ୍ ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ସମଗ୍ର ବିଶ୍ବ ସମେତ ଭାରତରେ ମଧ୍ୟ କାୟା ବିସ୍ତାର କରୁଛି। ଏକ ମାସ ଭିତରେ ବିଶ୍ବର ପ୍ରାୟ ୧୦୦ଟି ଦେଶରେ ଓମିକ୍ରନ୍ ପଜିଟିଭ ଚିହ୍ନଟ ହୋଇସାରିଛି। ଭାରତରେ ଡିସେମ୍ବର ୨୩ ତାରିଖ ସୁଦ୍ଧା ୧୬ ରାଜ୍ୟରେ ଓମିକ୍ରନ୍ ସଂକ୍ରମଣ ଚିହ୍ନଟ ହୋଇଛି।
ଦେଶ-ବିଦେଶରେ କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ଗୁରୁବାର ପ୍ରଧାନମନ୍ତ୍ରୀ ଓ ନିର୍ବାଚନ ଆୟୁକ୍ତଙ୍କୁ ଅନୁରୋଧ କରିଛନ୍ତି ଯେ, ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃତୀୟ ଲହରରୁ ଜନତାଙ୍କୁ ବଞ୍ଚାଇବା ପାଇଁ ରାଜନୈତିକ ଦଳ ତରଫରୁ ଭିଡ଼ ଏକତ୍ରିତ କରି ନିର୍ବାଚନ ରାଲି ଉପରେ ରୋକ ଲଗାଯାଉ। ରାଜନୈତିକ ପାର୍ଟି ମାନଙ୍କୁ କୁହାଯାଉ ଯେ, ସେମାନେ ନିର୍ବାଚନ ପ୍ରଚାର ଟିଭି ଓ ଖବରକାଗଜ ମାଧ୍ୟମରେ କରନ୍ତୁ। ଅନ୍ୟପଟରେ ଏବିପି ସି ଭୋଟର ଏହି ପ୍ରସଙ୍ଗରେ ସର୍ଭେ କରିଥିଲା ଯେ, ଜନତା ଚାହୁଁଛନ୍ତି ଯେ, ରାଲି ନହେଲେ ଭଲ।
ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ହାଇକୋର୍ଟ ଜଜ କହିଛନ୍ତି ଯେ, ସେ ଦଳୀୟ ନିର୍ବାଚନୀ ସଭା ଓ ରାଲି ଉପରେ ରୋକ ଲଗାଇ ପାଇଁ ବଡ଼ ପଦକ୍ଷେପ ନିଅନ୍ତୁ। ପ୍ରଧାନମନ୍ତ୍ରୀ ନିର୍ବାଚନ ସ୍ଥଗିତ ରଖିବା ଉପରେ ମଧ୍ୟ ବିଚାର କରନ୍ତୁ। କାରଣ ଜୀବନ ଥିଲେ ତ ଜୀବିକା ମିଳିବ। ଏହି ଆଦେଶ ବିଚାରପତି ଶେଖର କୁମାର ଯାଦବ ଜେଲରେ ବନ୍ଦ ଅଭିଯୁକ୍ତ ସଂଜୟ ଯାଦବଙ୍କ ଜାମିନ ମଂଜୁର କରିବା ଅବସରରେ କହିଛନ୍ତି। ସଂଜୟ ଯାଦବଙ୍କ ବିରୋଧରେ ଆହ୍ଲାବାଦର କ୍ୟାଣ୍ଟ ଥାନା ଅଞ୍ଚଳରେ ମକଦ୍ଦମା ରୁଜୁ ହୋଇଛି।