ଭୁବନେଶ୍ବର,ଏନ୍ଏନ୍ଏସ୍: ଆଗାମୀ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ। ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ପରିବର୍ତ୍ତନ କରାଯାଇ ସେହି ଆସନ ସାଧାରଣ ବର୍ଗଙ୍କ ପାଇଁ ରହିବ। ଓବିସି ସଂରକ୍ଷଣ ନିଷ୍ପତ୍ତି ପ୍ରତ୍ୟାହାର ପରେ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ। ରାଜ୍ୟ ସରକାର ଓବିସିଙ୍କୁ ଠକିଥିବା ବିରୋଧି ସମାଲୋଚନା କରୁଥିବାବେଳେ ସରକାର ଓବିସି ସଂରକ୍ଷଣ ବିରୋଧି ବୋଲି ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେ ହେଉଛି। ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ଦିଗରେ ଚିନ୍ତା ନ କରିବା ଦୁଃଖଦାୟକ ଓ ଚିନ୍ତାଜନକ। ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତିରେ ପରିବର୍ତ୍ତନ ପରେ ଟ୍ବିଟ୍ ଯୋଗେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ।
ଆହୁରିମଧ୍ୟ, ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଆଇନଗତ ଓ ଯୁକ୍ତିସଙ୍ଗତ ଦିଗରେ ଯିବା ଭଳି ମନେ ହେଉନାହିଁ। ମଧ୍ୟପ୍ରଦେଶ ସରକାର ଓବିସି ସଂରକ୍ଷଣ ଉପରେ ରିଭ୍ୟୁ ପିଟିସନ କରିବାକୁ ଯାଉଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏହାର ପୁର୍ନବିଚାର ପାଇଁ କାହିଁକି ଆବେଦନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ପଛୁଆ ବର୍ଗ ସଂରକ୍ଷଣ ନେଇ ଓଡିଶା ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଏଥିରୁ ସ୍ପଷ୍ଟ ହେଉଥିବା ସେ କହିଛନ୍ତି।