ବିଶ୍ୱବିଦ୍ୟାଳୟ ପରୀକ୍ଷା ବାତିଲ୍ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ୍-୧୯ ସ୍ଥିତିକୁ ନଜରରେ ରଖି ଦିଲ୍ଲୀ ସରକାର ଶନିବାର ଦିଲ୍ଲୀର ସମସ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ୍ କରିଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ଏଭଳି ସମୟରେ ପରୀକ୍ଷା କରିବା ଅର୍ଥ ଶିକ୍ଷାର୍ଥୀ ତଥା ପରୀକ୍ଷାର୍ଥୀଙ୍କୁ ବିପଦରେ ପକାଇବା। ତେଣୁ ଦିଲ୍ଲୀରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ସେମିଷ୍ଟର ପରୀକ୍ଷା ସହ ଟର୍ମିନାଲକୁ ମଧ୍ୟ ବାତିଲ୍ କରିଦିଆଯାଇଛି। ତେବେ ବିଶ୍ୱ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଲିଖିତ ପରୀକ୍ଷା ଆୟୋଜନ ନକରି ପୂର୍ବ ପରୀକ୍ଷାରେ ଶିକ୍ଷାର୍ଥୀଙ୍କ ନମ୍ବରକୁ ଦେଖି ମାର୍କିଂ କରାଯିବ।

ଶେଷ ବର୍ଷର ପରୀକ୍ଷାର୍ଥୀଙ୍କୁ ଉଚ୍ଚଶିକ୍ଷା ଏବଂ ଚାକିରି ପାଇଁ ଡିଗ୍ରୀର ଆବଶ୍ୟକତା ରହିଛି। ତେଣୁ ବିଶ୍ୱବିଦ୍ୟାଳୟ ମାନଦଣ୍ଡ ଅନୁସାରେ ମୂଲ୍ୟାଙ୍କନ କରାଯିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଶ୍ୱ ବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟଗୁଡ଼ିକର ସେମିଷ୍ଟର ଏବଂ ଟର୍ମିନାଲ୍ ପରୀକ୍ଷା ବାତିଲ୍ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।