ବିଗ୍‌ ‘ବି’ ଅମିତାଭ ବଚ୍ଚନଙ୍କ ପରେ ପୁଅ ଅଭିଷେକ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡରେ ଭୟ ବଢ଼ାଇଲା ମହାମାରୀ କରୋନା। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ବିଗ୍‌ ବିଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଲୋକଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିରେ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ସମଗ୍ର ବଲିଉଡରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ସାରା ଦେଶରେ ଅମିତାଭଙ୍କ କୋଟି କୋଟି ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ଶନିବାର ରାତିରେ ନିଜ ଟ୍ବିଟର ପେଜ୍‌ରେ ଶ୍ରୀ ବଚ୍ଚନ ଲେଖିଛନ୍ତି ଯେ ତାଙ୍କର କୋଭିଡ୍‌ ପରୀକ୍ଷା ହେବା ପରେ ସେ ପଜିଟିଭ୍‌ ଥିବା ଜଣାପଡ଼ିଛନ୍ତି। ତେଣୁ ସେ ହସ୍‌ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ।

ଯେଉଁମାନେ ଗତ ୧୦ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତୁରନ୍ତ ନିଜର କୋଭିଡ୍‌ ପରୀକ୍ଷା କରାଇ ନିଅନ୍ତୁ ବୋଲି ବିଗ୍ ବି ଅନୁରୋଧ କରିଛନ୍ତି। ତେବେ ଅମିତାଭଙ୍କ ପରିବାରର ଅନ୍ୟ ସଦସ୍ୟା ପତ୍ନୀ ଜୟା, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟାଙ୍କ ସ୍ୱାବ୍‌ ନମୁନା ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି ।