ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପିଲା ଘରେ ବସି ପାଇବେ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ଵର,ଏନ୍ଏନ୍ଏସ୍: ପାଠ୍ୟପୁସ୍ତକ ହୋମ ଡେଲିଭରି । ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିବ ମାଗଣା ବହି । ମାର୍ଚ୍ଚ ୧୫ରୁ ସ୍କୁଲରେ ପହଞ୍ଚି ସାରିଛି ପାଠ୍ୟ ପୁସ୍ତକ ତେବେ ଲକଡାଉନ ପାଇଁ ଛାତ୍ରଛାତ୍ରୀ ଏହି ବହି ପାଇପାରିନାହାନ୍ତି । ଏବେ ଦୁଇ ମାସ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ପାଇଁ ଘୋଷଣା କରାଯାଇଥିବା ବେଳେ । ଏଭଳି ସ୍ଥିତିରେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାଗଣା ପାଠ୍ୟପୁସ୍ତକ କିଭଳି ପାଇବେ, ତାହାକୁ ନେଇ ସମସ୍ୟା ଦେଖାଦେଇଛି ।

ତେବେ ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବାକୁ ନ ଥିବାରୁ ପିଲାଙ୍କ ପାଖରେ ବହି ପହଞ୍ଚାଇବା ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ବ ଦେଇଛି। ଲକଡାଉନ ଖୋଲିବା କ୍ଷଣି ପିଲାଙ୍କ ଘରେ ବହି ପହଞ୍ଚାଇବା ନେଇ ବିଚାରବିମର୍ଶ କରାଯାଉଛି। ଛୁଟି ସମୟରେ ଏହି ବହିଗୁଡ଼ିକ କିଭଳି ପିଲା ପାଇପାରି‌ବେ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଭ୍ୟନ୍ତରୀଣ କମିଟି ପ୍ରାଥମିକ ଆଲୋଚନା କରିଛି। ସାମାଜିକ ଦୂରତ୍ୱ ରଖି ପିଲାଙ୍କ ଘରେ ବହି ପହଞ୍ଚାଇବାକୁ ଯୋଜନା ରହିଛି। ଯଦି ସବୁ କିଛି ଠିକ ଚାଲେ ତେବେ ଲକଡାଉନ ଉଠିବା କ୍ଷଣି ପିଲାଙ୍କ ଘରେ ବହି ପହଞ୍ଚାଯିବ। ଏହାଦ୍ୱାରା ଛୁଟି ସମୟରେ ପିଲାମାନେ ବହି ପାଇବେ ଏବଂ ଘରେ ରହି ପଢ଼ିପାରିବେ।