ବିଶୋଧନ ହେଲା ଶ୍ରୀମନ୍ଦିର ଚତୁର୍ପାର୍ଶ୍ବ

ପୁରୀ,ଏନ୍ଏନ୍ଏସ୍: ମହାମାରୀ କରୋନା ଏକ ସଂକ୍ରମଣ ରୋଗ ହୋଇଥିବା ବେଳେ ଏହା ବାୟୁ ଓ ପରସ୍ପର ସଂସ୍ପର୍ଶରେ ହୋଇଥାଏ। ଏଥିପାଇଁ ଦେଶବ୍ୟାପି ଲକଡାଉନ କଟକଣା ଜାରି ହୋଇଛି। ଏହି ମଧ୍ୟରେ ପୁରୀରେ ବିଶୋଧନ ପ୍ରକ୍ରିୟାକୁ ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ମନ୍ଦିରର ଚାରିପାଖ ଏବଂ ବଡଦାଣ୍ଡକୁ ବିଶୋଧନ କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ୧୦ ଜଣ କର୍ମଚାରୀ ଆଜି ଶ୍ରୀମନ୍ଦିରର ଚତୁର୍ପାର୍ଶ୍ବ, ମେଘନାଦ ପାଚେରିକୁ ଲାଗି ରହିଥିବା ରାସ୍ତା ଓ ବଡଦାଣ୍ଡକୁ ରାସାୟନିକ ବିଶୋଧକ ଦ୍ବାରା ସମ୍ପୂର୍ଣ୍ଣ ବିଶୋଧନ କରିଛନ୍ତି। ଏଥି ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ମଧ୍ୟ ସାନିଟାଇଜ କରାଯାଇଛି।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡଦାଣ୍ଡ ସମେତ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳକୁ ବିଶୋଧନ କରାଯାଇଛି । ପାଣିରେ ସୋଡିୟମ ହାଇପୋକ୍ଲୋରାଇଡ୍ ରସାୟନ ମିଶ୍ରଣ କରି ସିଂଚନ କରାଯାଉଛି । ତେବେ କରୋନା ପାଇଁ ଏବେ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ସେବାୟତମାନେ କେବଳ ମହାପ୍ରଭୁଙ୍କ ନୀତିକାନ୍ତି କରୁଛନ୍ତି।