ଅଯୋଧ୍ୟା ରାୟ ପାଇଁ ସବୁ ରାଜ୍ୟକୁ ଆଲର୍ଟ

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷିତ ତଥା ସମ୍ବେଦଶୀଳ ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ପ୍ରକାଶ କରିବାର ସମ୍ଭାବନା ରହିଛି। ହିନ୍ଦୁ ଓ ମୁସଲମାନଙ୍କ ଧାର୍ମିକ ଭାବାବେଗ ସହିତ ଜଡିତ ଏହି ରାୟକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗୁରୁବାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି। ଅଯୋଧ୍ୟା ରାୟକୁ ନେଇ ଯେପରି କୌଣସି ପ୍ରକାର ସାମ୍ପ୍ରଦାୟିକ ହିଂସା କିମ୍ବା ଉତ୍ତେଜନା ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି।

ଏହା ସହିତ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥା କରିବାକୁ ସୂଚନାରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ରେଳ ସୁରକ୍ଷା ବାହିନୀ (ଆରପିଏଫ୍‌) ପକ୍ଷରୁ ଅଯୋଧ୍ୟା ରାୟ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ କରାଯିବା ସହ ୫୬ଟି ଷ୍ଟେସନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଟ୍ରେନ୍‌କୁ ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ସହ ପ୍ଲାଟଫର୍ମ, ଷ୍ଟେସନ, ରେଳଡବା ତିଆରି କାରଖାନା ଆଦି ସ୍ଥାନଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ଅଯୋଧ୍ୟା ରାୟକୁ ନେଇ ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସର୍ବାଧିକ ଆଶଙ୍କା ଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ଉତ୍ତରପ୍ରଦେଶର ଅଧିକାଂଶ ସହରରେ ୧୪୪ ଧାରା ଲାଗୁକରାଯାଇଛି। ପୁଲିସ ଅଧିକାରୀମାନେ ବୈଠକ ପରେ ବୈଠକ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ମଧ୍ୟ ସୁରକ୍ଷା ବାହିନୀର କଡ଼ା ପହରା ରହିଛି। ମିରଟ, ଅଲ୍ଲୀଗଡ଼, ଆଗ୍ରା, ରାମପୁର, ବରେଲୀ, ଫିରୋଜାବାଦ, କାନପୁର, ଲକ୍ଷ୍ନୌ, ସାହରଣପୁର, ଶାମଲି, ମୁଜାଫରନଗର, ବୁଲନ୍ଦସହର ଏବଂ ଆଜମଗଡ଼ ଭଳି ୩୪ଟି ସମ୍ବେଦନଶୀଳ ସହରର ପୁଲିସ ମୁଖ୍ୟମାନଙ୍କୁ ସତର୍କ କରାଯାଇଛି।