ଦେବଗଡ଼,ଏନ୍ଏନ୍ଏସ୍: ପୌର ନିର୍ବାଚନ ଲାଗି ଦେବଗଡ଼ ଜିଲ୍ଲାର ଏକମାତ୍ର ପୌରପରିଷଦର ୧୧ଟି ୱାର୍ଡ ସମେତ ପୌରାଧ୍ୟକ୍ଷ ପଦବୀ ପାଇଁ ସମସ୍ତ ପ୍ରାର୍ଥୀ ଆଜି ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ, ବିଜେଡି ଓ ବିଜେପି ସମେତ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଜି ପୂର୍ବାହ୍ନରୁ ସମସ୍ତ ରାଜନୈତିକ ଦଳର କର୍ମୀମାନେ ନିଜ ନିଜର ଦଳୀୟ ପତାକାରେ ଶୋଭାଯାତ୍ରାରେ ବାହାରି ଥିବାବେଳେ ସମଗ୍ର ସହର ରଙ୍ଗୀନ ହୋଇ ପଡ଼ିଥିଲା ।
ବିଜେଡିର ପୌରଧ୍ୟକ୍ଷା ପ୍ରାର୍ଥିନୀ ସ୍ଥାନୀୟ କନକ ଦୁର୍ଗା ମନ୍ଦିରଠାରେ ପୂଜାର୍ଚ୍ଚନା ପରେ ଶାନ୍ତି ମଞ୍ଜରୀ ଦେଇ ୧୧ କାଉଁସିଲର ପ୍ରାର୍ଥୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ସେହିପରି ରାଧାକୃଷ୍ଣ ମନ୍ଦିର ପରିସରରୁ ବିଜେପି ଦଳର ପୌରଧ୍ୟକ୍ଷା ପ୍ରାର୍ଥୀ ମାଧବୀ ଦେବୀ ୧୧କାଉନସିଲର ପ୍ରାର୍ଥୀଙ୍କ ସହ ଏକ ବିରାଟ ପଟୁଆର ନଗର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଅନ୍ୟପଟେ କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ଗୋପାଳଜୀ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ଦଳ ପକ୍ଷରୁ ପୌରାଧ୍ୟକ୍ଷା ପ୍ରାର୍ଥିନୀ ପବନୀ ସାହୁଙ୍କ ସହ ୧୧ କାଉନସିଲର ପ୍ରାର୍ଥୀ ନଗର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ।
