ଦାବୀ ପୂରଣ ନହେଲେ ଜୁନ ୧ରୁ ସମସ୍ତ ଅମଲା ଛୁଟିରେ ଯିବେ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାସ୍ତରୀୟ ଅମଲାଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆନ୍ଦୋଳନ ସ୍ୱରୂପ କଳା ବ୍ୟାଜ୍ ପରିଧାନ ୮ମ ଦିନରେ ପହଞ୍ଚିଛି । ଯଦି ମେ’ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଅମଲାଙ୍କ ଦାବୀ ପୂରଣ କରିବାରେ ବିଫଳ ହୁଅନ୍ତି ତେବେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଜୁନ ପହିଲାରୁ ଜିଲ୍ଲାସ୍ତରୀୟ ସମସ୍ତ ଅମଲା ଛୁଟିରେ ଯିବେ । ଜିଲ୍ଲାସ୍ତରୀୟ ଅମଲା ମଞ୍ଚ ପକ୍ଷରୁ ଏସଂକ୍ରାନ୍ତୀୟ ଏକ ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାସ୍ତରୀୟ କାର୍ଯ୍ୟରତ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବାବେଳେ ମାଟ୍ରିକ ହାରରେ ଦରମା ମିଳୁଛି। ଫଳରେ ଦୀର୍ଘଦିନ ହେଲା ଅମଲାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବରେ ବିଭିନ୍ନ ଅମଲା ସଂଘ ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ରାଜ୍ୟ ସରକାର ଅମଲାଙ୍କ ଦାବୀକୁ ଅଣଦେଖା କରି ଆସିଛନ୍ତି । ବୈଠକର ନିଷ୍ପତ୍ତି ଅନୁଯାୟୀ ଜୁନ ପହିଲାରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଉମରକୋଟ ବ୍ଲକ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ମଞ୍ଚର ଆବାହକ ଏମ ବାଲାକ୍ରିଷ୍ଣା ରାଓ, ଅରୁଣ କୁମାର ମିଶ୍ର, ଲୋକନାଥ ମହାନ୍ତି,ନୀଳାଞ୍ଚଳ ପଣ୍ଡା, ରାମ ପଣ୍ଡା, ଦିଲ୍ଲୀପ ସାହୁ, ରାମ ପ୍ରସାଦ ରଥ, ଆଶୁତୋଷ ମହାନ୍ତି, ଦିଲ୍ଲୀପ ସାହୁ, ଆକାଶ ଗଣ୍ଡ, ସୁଧାଂଶୁ ମିଶ୍ର, ସୁରଜ କୁମାର ସ୍ୱାଇଁ, ବବିତା ପଟ୍ଟନାୟକ ଓ ରାମକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।