ବାବ୍ରୀ ମସଜିଦ ରାୟ : ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

ନୂଆଦିଲ୍ଲୀ: ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ବାବ୍ରୀ ମସଜିଦ ବିଧ୍ୱଂସ ମାମଲାର ରାୟ ଆସିଛି। ଏଥିରେ ସମ୍ପୃକ୍ତ ଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ସତୀଶ ପ୍ରଧାନ, ମହନ୍ତ ଗୋପାଳ ଦାସ ଓ ଉମା ଭାରତୀଙ୍କ ସମେତ ୩୨ ଆରୋପୀଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦିଆଯାଇଛି। ଜଜ୍ ଏସକେ ଯାଦବ କହିଛନ୍ତି ଯେ, କୌଣସି ପୂର୍ବ ଯୋଜନା ଅନୁସାରେ ବିବାଦିତ ଢାଞ୍ଚା ଭଙ୍ଗା ଯାଇନଥିଲା। ଏହା ଆକସ୍ମିକ ଭାବେ ହୋଇଥିଲା। ଦୋଷୀଙ୍କ ବିରୁଦ୍ଧରେ ସେମିତି କୌଣସି ଦୃଢ଼ ପ୍ରମାଣ ମିଳିନାହିଁ। ପ୍ରମାଣ ପାଇଁ ଦାଖଲ ହୋଇଥିବା ଭିଡିଓ ଟାମ୍ପରିଂ ହୋଇଛି।

ସୂଚନାଯୋଗ୍ୟ, ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସଜିଦ ଭଙ୍ଗାଯିବା ଘଟଣାର ଫଇସଲା ସିବିଆଇର ସ୍ପେଶାଲ କୋର୍ଟରେ ହୋଇଛି। ଏଥିରେ ମୋଟ ୪୯ ଅଭିଯୁକ୍ତ ସମ୍ପୃକ୍ତ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏମିତିରେ କୋର୍ଟ ଜୀବିତ ଥିବା ୩୨ ଜଣ ମୁଖ୍ୟ ଆରୋପୀଙ୍କ ଉପରେ ଫଇସଲା ଶୁଣାଇଛନ୍ତି।