ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ବିଧାନସଭା ଆଗରେ ଧାରଣା ଦେଲେ ଅଖିଳେଶ ଯାଦବ

ଲକ୍ଷ୍ନୌ,ଏଜେନ୍ସି: ଉନ୍ନାଓ ପୀଡ଼ିତାଙ୍କୁ ପୋଡ଼ି ହତ୍ୟା ଘଟଣାକୁ ନେଇ ଆଜି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ଏଥିସହ ରାଜ୍ୟରେ ଆଇନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାବେଳେ ମହିଳାମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଥିବା କହିଛନ୍ତି। ସେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି।

ତାଙ୍କ ସହିତ ଦଳୀୟ ନେତା ନରେଶ ଉତ୍ତମ ପଟେଲ ଏବଂ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି। ଧାରଣା ଦେବା ପୂର୍ବରୁ ସେ ୨ ମିନିଟ ନୀରବ ପ୍ରାର୍ଥନା କରି ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅଖିଳେଶ ଧାରଣା ଦେଇଥିବା ଖବର ପ୍ରଚାରିତ ହେବା ପରେ ଦଳୀୟ କାର୍ୟ୍ୟକର୍ତ୍ତାମାନେ ମଧ୍ୟ ସେଠାରେ ଯାଉଥିବା ଦେଖାଯାଇଛି। ଏ ନେଇ ସମାଜବାଦୀ ପାର୍ଟି ନେତାମାନେ କହିଛନ୍ତି ଯେ, ବିଜେପି ସରକାରରେ ମହିଳା ଏବଂ ଶିଶୁମାନେ ସୁରକ୍ଷିତ ନୁହନ୍ତି। ସମାଜବାଦୀ ପାର୍ଟି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ଏହି ଲଢ଼େଇ ଜାରି ରହିବ।
ଅପରପକ୍ଷରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉନ୍ନାଓ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିବେ ବୋଲି ଜଣାପଡ଼ିଛି।