ନୂଆଦିଲ୍ଲୀ,ଏଜେନ୍ସି: ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଗତକାଲି ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟ କରିଥିବାବେଳେ ଏ ନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି। ଏ ନେଇ ପୁଲିସ ବିରୋଧରେ ୨ ଜଣ ଓକିଲ ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିବା ସହିତ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରିଛନ୍ତି।
ଓକିଲ ଜିଏସ୍ ମଣୀ ଏବଂ ପ୍ରଦୀପ କୁମାର ଏହି ଏନକାଉଣ୍ଟର ବିରୋଧରେ ପିଟିଶନ ଦାଖଲ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ୨୦୧୪ରେ ସୁପ୍ରିମକୋର୍ଟ ଦେଇଥିବା ଗାଇଡ୍ଲାଇନ ପାଳନ କରାଯାଇ ନାହିଁ। ଏନକାଉଣ୍ଟରରେ ସାମିଲ ପୁଲିସ ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରିବା, ତଦନ୍ତ କରିବା ଏବଂ କାର୍ୟ୍ୟାନୁଷ୍ଠାନ ନେବାକୁ ପିଟିଶନରେ ଦାବି କରାଯାଇଛି। ଏହି ଘଟଣାରେ ଆଉ ଏକ ପିଟିଶନ ମଧ୍ୟ ଦାୟର ହୋଇଛି। କୋର୍ଟଙ୍କ ଅଧୀନରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିବାକୁ ଏଥିରେ ଦାବି କରାଯାଇଛି।
ଏହି ପିଟିଶନଟି ଓକିଲ ଏମ.ଏଲ. ଶର୍ମା ଦାଖଲ କରିଛନ୍ତି। ଏହା ସହିତ ସେ ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ବାତି ମାଲିୱାଲଙ୍କ ବିରୋଧରେ ଆଇନର ହତ୍ୟାକାରୀଙ୍କୁ ସମର୍ଥନ କରିବା ଅଭିଯୋଗ କରି କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟପଟେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ହାଇଦ୍ରାବାଦ ଏନକାଉଣ୍ଟର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କମିଶନଙ୍କ ଏକ ଟିମ୍ ଶନିବାର ହାଇଦ୍ରାବାଦ ଗସ୍ତ କରି ଘଟଣାର ଅନୁଧ୍ୟାନ କରିଛନ୍ତି।