ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାସ୍ଥିତ ବିଭିନ୍ନ କଳକାରଖାନା ଓ ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଆଜି ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏହାସହ ସଙ୍ଘ ପକ୍ଷରୁ ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଝାରସୁଗୁଡ଼ା ଏକ ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା ହୋଇଥିଲେ ହେଁ ସ୍ଥାନୀୟ ନିଯୁକ୍ତି ଅଭାବରୁ ଏଠାକାର ଯୁବକ ଯୁବତୀ ବେରୋଜଗାର ହୋଇ ରହୁଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ତେଣୁ ଶୀଘ୍ର ଏହି ଯୁବକ ଯୁବତୀଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପରିଷଦ କାର୍ଯ୍ୟାଳୟରେ ଗୋଟିଏ ଲେଖାଏଁ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ ପଞ୍ଜିକରଣ କାଉଣ୍ଟର ଖୋଲି ଜିଲ୍ଲାର ସମସ୍ତ ବେକାର ଯୁବକ ଯୁବତୀଙ୍କ ରେଜିଷ୍ଟ୍ରେସନ କରାଯାଉ। ପରେ ସେମାନଙ୍କୁ ଜିଲ୍ଲାର ବିଭିନ୍ନ ଖଣି ଓ କଳ କାରଖାନାରେ ଚାକିରି ପ୍ରଦାନ କରାଯାଉ ବୋଲି ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଦାବି କରାଯାଇଛି। ଏହି ଦାବି ପୂରଣ ଦିଗରେ ଶୀଘ୍ର ପଦକ୍ଷେପ ନିଆନଗଲେ ଯୁବ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ସମୟରେ ଶ୍ରମିକ ନେତା ରମେଶ ତ୍ରିପାଠୀ, ସଙ୍ଘର ସଭାପତି ରମାକାନ୍ତ ସା, ସମ୍ପାଦକ ମାନସ ପ୍ରଧାନ, ଚୁଳଦେବ ଭୁଏ, ମିନି ଦାସ, ନିରାକାର ଭୋଇ, ସୁଦର୍ଶନ ରାଉତ ଓ ତ୍ରିଲୋଚନ ଭୋଇ ପ୍ରମୁଖଙ୍କ ସହ ଯୁବ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ।