ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୩ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସୁଛି ଲଘୁଚାପ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ବର୍ତ୍ତମାନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ସକ୍ରିୟ ଥିବା କହିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଠାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ଛଡ଼ା ଉପକୂଳବର୍ତ୍ତୀ ଅଞ୍ଚଳ, କନ୍ଧମାଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗିର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ , ୧୭ ଓ ୧୮ , ତିନି ଦିନ ଧରି ବର୍ଷା ହେବ। ବର୍ତ୍ତମାନ ସୁଧା ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ଜୁନ ପହିଲାରୁ ୧୫ ଅଗଷ୍ଟ ସୁଧା ୭୪୯.୫ ମିଲିମିଟର ବର୍ଷା ରେକର୍ଡ ହେବା କଥା କିନ୍ତୁ ହୋଇଛି ୫୨୪.୦୮ ମିଲିମିଟର ବର୍ଷା। ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଏହା ମଧ୍ୟରୁ ୭ ଜିଲ୍ଲାରେ ସର୍ବାଧିକ ମାତ୍ରରେ ବର୍ଷା କମ୍ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯାଜପୁରରେ ସର୍ବାଧିକ ୫୪ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଥିବାବେଳେ ଭଦ୍ରକରେ ୫୧ ପ୍ରତିଶତ, ବଲାଙ୍ଗିରରେ ୪୪, କେନ୍ଦୁଝରରେ ୪୧ ଓ ଅନୁଗୁଳ, ଗଜପତି ଓ ଝାରସୁଗୁଡ଼ାରେ ୪୦ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଛି।